ପିଲାଙ୍କ ଡରରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ

ବାଲେଶ୍ବର: ବାହାନଗା ହାଇସ୍କୁଲ 5T ଉପକ୍ରମରେ ଏକ ମଡେଲ ସ୍କୁଲ ହେବ । ‍ବାଲେଶ୍ୱର ଜିଲ୍ଲା ବାହନଗା ହାଇସ୍କୁଲ ତଥା ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ଘରକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ନୂତନ ଘର ନିର୍ମାଣ କରାଯିବ ।  ବାହାନଗା ହାଇସ୍କୁଲ  ୪ରୁ ୬ ମାସରେ ନୂଆ ରୂପ ପାଇବ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ 5T ସଚିବ ଭି.କେ ପାଣ୍ଡିଆନ ଏହି ପ୍ରତିଶ୍ରୁତି ଦେଇଛନ୍ତି ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ପିଲାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଓ 5T ସଚିବ ଭିଡିଓ କନଫରେନସିଂରେ ଉପସ୍ଥିତ ଥିଲେ । ପିଲାଙ୍କ ସହ କଥା ହୋଇ ସମସ୍ୟା ସମ୍ପର୍କରେ ଅବଗତ ହେଲା ପରେ ୪ରୁ ୬ ମାସରେ ନୂଆ ସ୍କୁଲ ଗୃହ ନିର୍ମାଣ ସାରିବାକୁ 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଖେଳ ପଡ଼ିଆ ବି ହେବ । ଏଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଖୁସି ପ୍ରକାଶ କରିଛନ୍ତି । ସେଠାରେ ମୃତଦେହ ରଖାଯାଇଥିବା କଥା ଶୁଣି ପିଲା ସ୍କୁଲ ଯିବାକୁ ଡରୁଥିଲେ । ଆଜି ସଚିବଙ୍କ ସହ କଥା ହୋଇ ପ୍ରତିଶ୍ରୁତି ପାଇବା ପରେ ପିଲା ଓ ଅଭିଭାବକ ଆଶ୍ବସ୍ତି ହୋଇଛନ୍ତି । ମୃତଦେହ ରଖାଯାଇଥିବା ଶ୍ରେଣୀଗୃହ ଆଜି ଭଙ୍ଗାଯାଉଛି । ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନରେ ଭୟାବହ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ସାମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମୃତଦେଗୁଡ଼ିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି ।