ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ବିଶାଳ ୪୬୯ ରନ

ଇଂଲଣ୍ଡର ଓଭାଲରେ ଖେଳା ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବିଶାଳ ୪୬୯ ରନ କରି ଅଲଆଉଟ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନରେ ଭାରତୀୟ ଟିମ କେବଳ ୩ଟି ୱିକେଟ ନେଇଥିବା ବେଳେ ଆଜି ୭ ୱିକେଟ ନେଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛି।ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରେ ଟ୍ରାଭିସ ହେଡ ୧୬୩ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୧୨୧ ରନର ଇନିଂସ ଖେଳିଛନ୍ତି।
ପ୍ରଥମ ଦିନରେ ୩ ୱିକେଟ ହରାଇ ୩୨୭ ରନ କରିଥିବା ଅଷ୍ଟ୍ରେଲିଆ ପାଇଁ ଆଜି ସ୍ମିଥ ଓ ହେଡ୍‌ ଦମଦାର ବ୍ୟାଟିଂ କରିଥିଲେ। ସ୍ମିଥ ଶତକ ହାସଲ କରିଥିବା ବେଳେ ହେଡ ୧୫୦ ରନ ପୂରଣ କରିଥିଲେ। ତେବେ ଦଳୀୟ ସ୍କୋର ୩୬୧ ଥିବା ବେଳେ ୧୬୩ ରନ କରିଥିବା ହେଡଙ୍କୁ ମହମ୍ମଦ ସିରାଜ ଆଉଟ କରି ଭାରତକୁ ଦ୍ୱିତୀୟ ଦିନରେ ପ୍ରଥମ ସଫଳତା ଦେଇଥିଲେ।