ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ

ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଫଳରେ ରାଜ୍ୟରେ ପାର୍ଟି ନେତୃତ୍ୱକୁ ନେଇ ଦୀର୍ଘ ଦିନ ହେଲା ଲାଗିଥିବା ଛକାପଞ୍ଝାରେ ଏବେ ପୂର୍ଣ୍ଣଛେଦ ପଡ଼ିଛି। ଗେହଲଟ ଓ ପାଇଲଟଙ୍କୁ ଏକାଠି ଦେଖି କଂଗ୍ରେସ ନେତା ହମ ସାଥ ସାଥ ହେଁର ଗୀତ ଗୁଣୁ ଗୁଣୁ ହେଉଛନ୍ତି।
ଦୀର୍ଘ ଦିନ ହେଲା ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଲାଗିଥିବା କଳିର ସମାଧାନ ପାଇଁ ଗତକାଲି ଦିଲ୍ଲୀରେ ବସିଥିଲା ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ରୁଦ୍ଧଦ୍ୱାର ବୈଠକରେ ରାହୁଲ ଗାନ୍ଧି, ରାଜସ୍ଥାନର ପିସିସି ସଭାପତି ଓ କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ସାମିଲ ହୋଇଥିଲେ।ସନ୍ଧ୍ୟା ୬ଟାରେ ଖଡଗେଙ୍କ ଘରେ ଆୟୋଜିତ ବୈଠକରେ ପ୍ରଥମେ ଗେହଲଟ ଯୋଗ ଦେଇଥିବା ବେଳେ ୮ଟା ବେଳେ ପାଇଲଟ ସାମିଲ ହୋଇଥିଲେ। ପ୍ରାୟ ୪ ଘଣ୍ଟା କାଳ ଆଲୋଚନା ଚାଲିବା ପରେ ବିଳମ୍ବିତ ରାତିରେ ଉଭୟ ନେତା ବାହାରକୁ ଆସି ଆଗାମୀ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।