ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ କେବେ ଅନ୍ତର୍ଭୁକ୍ତ କରିବେ ରାଜ୍ୟ ସରକାର ?

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଓଡିଶା ରାଜ୍ୟକୁ ପକ୍କା ଘର ଆବଂଟନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ସଠିକ୍ କ୍ରିୟାନ୍ୱୟନ କରୁନଥିବାରୁ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହେଉଛନ୍ତି ବୋଲି  ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । କେନ୍ଦ୍ର ସରକାର ୩୪ ହଜାର ୬୩ କୋଟି ଟଙ୍କା ପିଏମ୍ ଆବାସ ପାଇଁ ସହାୟତା ଦେବା ସତ୍ୱେ ଓଡିଶା ଲୋକ ଘର ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୨୦୧୯ ମସିହା ପରଠାରୁ ଆବାସ ଗୃହ ପାଇଁ ବାସହୀନ ଯୋଗ୍ୟ ହିତାଧିକାରୀମାନେ ଅପେକ୍ଷା କରି ବସିଛନ୍ତି ଏବଂ ବିଜେଡି ସରକାର କାରଣରୁ ତାହା ଲୋକମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି ,ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପକ୍କା ଘର ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ଲକ୍ଷ ୯୫ ହଜାର । କେନ୍ଦ୍ର ସରକାର ଆଜି ତାରିଖ ସୁଦ୍ଧା ୨୬ଲକ୍ଷ ୫୧ହଜାର ଘର ମଞ୍ଜୁରୀ କରିସାରିଛନ୍ତି । ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୧୭ଲକ୍ଷ ୧୪ହଜାର ଘର ସମ୍ପୂର୍ଣ୍ଣ ହୋଇଛି ଏବଂ ପାଖାପାଖି ବର୍ଷେ ହେବ ମଞ୍ଜୁରୀ ମିଳିଥିବା ବଳକା ୯ଲକ୍ଷ ୫୯ହଜାର ୫୦୦ ଘର ପାଇଁ ଆଜି ପର୍ଯ୍ୟନ୍ତ ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ କି ଏହାର ସଠିକ୍ କ୍ରିୟାନ୍ୱୟନ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ମସିହା ନଭେମ୍ବର ୧ ପୂର୍ବରୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦୁଇ ଦୁଇ ଥର ତାଗିଦା କରିବା ସହିତ ତତ୍ପରତାର ସହ ଘର ନିର୍ମାଣ ଶେଷ କରନ୍ତୁ ରାଜ୍ୟ ସରକାର ନଚେତ୍ ପେନାଲ୍ଟି ଦେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ୨୦୨୩ ମସିହା ଜୁନ୍ ମାସ ସୁଦ୍ଧା ପକ୍କା ଘର ନିର୍ମାଣ ପାଇଁ ଆଦେଶ ପତ୍ର ଦେବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରଣାଳୟ ତରଫରୁ କୁହାଯାଇଥିଲା । ମେ’ ମାସ ସରିବାକୁ ବସିଥିବାବେଳେ ତଥାପି ରାଜ୍ୟ ସରକାରଙ୍କ ଏଥି ପାଇଁ କୈାଣସି ଚିନ୍ତା ନାହିଁ କି ଚେତା ପଶିଲା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।