Odisha ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କରେ ଗିରଫ ଅପରାଧିଙ୍କ ଉପରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା Last updated May 19, 2023 ଭୁବନେଶ୍ବର:ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ଥିବା ଜଣାପଡିବା ପରେ ଗିରଫ ହୋଇଥିବା ପଠାଣୀଙ୍କ ଉପରେ ଲାଗିବ ଦେଶଦ୍ରୋହ ଅପରାଧ । ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ କୁ ସାଂଘାତିକ ତଥ୍ୟ ମିଳିଛି । ଏନେଇ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ମିଳିଛି । ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବାଦରେ ଖୋଳତାଡ଼ କରିବ ଏସଟିଏଫ୍ । ସୂଚନା ମୁତାବକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିଲା ପଠାଣୀ ସାମନ୍ତ । ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣାହୋଇଥିଲା ସେ ନେଇ ତଦନ୍ତ ଚାଲିଛି । ପୂର୍ବରୁ ପଠାଣୀଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡି ଥାନାରେ ଅଭିଯୋଗ ରହିଛି । ଯେଉଁମାନେ ଜାଲ ସିମ କାର୍ଡ ନେଇ ଅପରାଧିକ କାର୍ଯ୍ୟ କରୁଛନ୍ତି ସେମାନଙ୍କ ନାମରେ ମାମଲା ରୁଜୁ ହେବ ବୋଲି କୁହାଯାଉଛି । ଫେକ୍ ସିମ୍ ରୋକିବାକୁ ଗାଇଡଲାଇନ ଜାରି କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ମିଟିଂ ପରେ ଜାରି ହୋଇଛି ନିୟମ। ଜାରି ହୋଇଥିବା ନିୟମ ଅନୁସାରେ, ସ୍ଥାୟୀ ଦୋକାନ ଥିବା ଡିଲରମାନେ ହିଁ ବିକ୍ରି କରିପାରିବେ ସିମ୍ କାର୍ଡ। ଫେକ୍ ସିମ୍ ସଂପର୍କୀତ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିବେ ଟିଏସପି। ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍। ସିମ୍ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍ ବ୍ଲାକଲିଷ୍ଟେଡ ହେବେ। ଫେକ୍ ସିମ୍ ମିଳିଲେ ଟିଏସପି ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନ ଜାରି କରାଯାଇଛି। Share