ଆଜି ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା ସାରା ରାଜ୍ୟରେ ପାଳନ ହେଉଛି । ପତ୍ନୀମାନେ ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି  । ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡ଼ିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି ।

ପରମ୍ପରା ଆଧାରରେ ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।