ଝାରସୁଗୁଡ଼ାରେ ବୃହତ ବିଜୟ ପରେ ଦୀପାଳି ହେବେ କି ମନ୍ତ୍ରୀ ?

ଭୁବନେଶ୍ବର:  ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ାରେ ହୋଇଥିବା ଉପନିର୍ବଚନରେ ବିଜୟୀ ହୋଇ ତାଙ୍କ ଝିଅ ଦୀପାଳି ଦାସ ଏବେ ବିଧାୟିକା ଭାବେ ଶପଥ ନେଇଛନ୍ତି । ଦୀପାଳିଙ୍କୁ ମନ୍ତ୍ରୀ ପଦ ମିଳିପାରେ ଏନେଇ ରାଜନୀତି ସମୀକ୍ଷକମାନେ ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଏବଂ ମହିଳା ଚେହେରା, ଶିକ୍ଷିତ ହୋଇଥିବାରୁ ତାଙ୍କୁ ବିଜେଡି ସୁପ୍ରିମୋ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦେଇପାରନ୍ତି । ଏହି ଚର୍ଚାକୁ ନେଇ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ମନ୍ତ୍ରୀ କରିବେ । ମୁଖ୍ୟମନ୍ତ୍ରୀ ହିଁ ସ୍ଥିର କରିବେ କିଏ ମନ୍ତ୍ରୀ ହେବ । ଆଉ ଏକ ବର୍ଷ ରହିଲା ସାଧାରଣ ନିର୍ବାଚନ । ମୁଖ୍ୟମନ୍ତ୍ରୀ ତେଣୁ ପୁଣି କିଛି ନୂଆ ମୁହଁକୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ଯାଉଛନ୍ତି । ତେବେ କିଏ ସେହି ନୂଆ ମୁହଁ ତାକୁ ନେଇ ଚର୍ଚା ଜାରି ରହିଛି ।  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ପ୍ରମିଳା ମଲ୍ଲିକଙ୍କ ହାତରେ ଅନେକ ବିଭାଗ ରହିଛି ।  ମନ୍ତ୍ରିମଣ୍ଡଳ ଅଦଳବଦଳରେ କିଏ ହେବେ ସ୍ୱାସ୍ଥ୍ୟମନ୍ତ୍ରୀ ?  ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲା ଏବେ ମନ୍ତ୍ରୀଶୂନ୍ୟ ରହିଛି ତେଣୁ ଏଠାରୁ ମୁଖ୍ୟମନ୍ତ୍ରୀ ଜଣଙ୍କୁ ମନ୍ତ୍ରୀ କରିପାରନ୍ତି।  ଝାରସୁଗୁଡ଼ା ଓ ଆଖପାଖ ଜିଲ୍ଲାରେ  ନବ ଦାସଙ୍କ ଦବଦବା ଥିଲା ସେ ଥିଲେ କ୍ୟାବିନେଟ ମନ୍ତ୍ରୀ ତେଣୁ ତାଙ୍କ ଝିଅଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ କରିବା ନେଇ ଚର୍ଚା ହେଉଛି ।  ଦୀପାଳିଙ୍କୁ ବି ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଚାଲିଛି। ଗଞ୍ଜାମ ଜିଲ୍ଲାରୁ ବାଚସ୍ପତି ଥିବା ବିକ୍ରମ କେଶରୀ ଆରୁଖ ପଦଛାଡିଛନ୍ତି ସେହିପରି  ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦ ଛାଡି ଥିବାରୁ ଗଞ୍ଜାମ ଜିଲ୍ଲାରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିବା ବି ନିଶ୍ଚିତ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବି ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇପାରନ୍ତି । ନୂଆ ବାଚସ୍ପତି କାହାକୁ ନବୀନ କରିବେ ତାକୁ ନେଇ ମଧ୍ୟ ଚର୍ଚା ହେଉଛି ।