ଆସନ୍ତାକାଲି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ଗମ୍ଭୀର ସମସ୍ୟା ଉପରେ ବିଚାରବିମର୍ଶ କରିବା ଲାଗି ଏହି ବୈଠକ ଏକ ମଞ୍ଚ ଯୋଗାଇ ଦେବ ଯାହାଫଳରେ ଏକ ଦୃଢ଼ ତଥା କାର୍ଯ୍ୟ-ଉନ୍ମୁଖି ସୁପାରିସ ଦିଗରେ କାର୍ଯ୍ୟ କରାଯାଇ ପାରିବ ।

ଭାରତର ଜି୨୦ ଅଧ୍ୟକ୍ଷତାର ସଂସ୍କୃତି ଟ୍ରାକ୍‌ ଅଧୀନରେ ପରିକଳ୍ପନା କରାଯାଇଥିବା ୪ଟି ପ୍ରମୁଖ ପ୍ରାଥମିକତା କ୍ଷେତ୍ର ଉପରେ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀର ବୈଠକରେ ଧ୍ୟାନ ଦିଆଯାଇଛି। ଏହି ଚାରିଟି ପ୍ରାଥମିକତା କ୍ଷେତ୍ର ହେଲା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ।

ଆସନ୍ତାକାଲି  ପଦ୍ମଶ୍ରୀ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶନୀ ଆୟୋଜନ କରାଯିବ । ଏହି ପ୍ରଦର୍ଶନୀର ବିଷୟବସ୍ତୁ ରହିବ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏବଂ କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଉଦଘାଟନ କରିବେ ।