ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ରେଡ୍

ଭୁବନେଶ୍ବର: କେନ୍ଦୁଝର ରାଜନୀତିରେ ଦବଦବା ରଖିଥିବା ସନାତନ ମହାକୁଡ଼ଙ୍କ ଘରେ ଚାଲିଛି ରେଡ । ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍ ଚାଲିଛି । ଭୁବନେଶ୍ୱର, କେନ୍ଦୁଝର, ଯୋଡ଼ାରେ ଏକକାଳୀନ ଚଢ଼ାଉ କରୁଛି ଆୟକର ବିଭାଗ  । ମୋଟ୍ ୧୦ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା ମିଳିଛି । ତେବେ ଭୁବନେଶ୍ବରର ତିନରୁ ଚାରିଟି ସ୍ଥାନରେ ମଧ୍ୟ ରେଡ ଚାଲିଥିବା ସୂଚନା ମିଳିଛି । ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଭୁବନେଶ୍ବର, କେନ୍ଦୁଝର ଓ ଯୋଡ଼ା  ଘର ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଉଛି। ଏଥିରେ ବିଭାଗର ୨୦ଜଣିଆ ଟିମ୍ ସାମିଲ ଥିବା କୁହାଯାଉଛି। ରାଜଧାନୀର ସହିଦ ନଗରରେ ଥିବା ତାଙ୍କ ଘରେ ଏବଂ ତାଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ଚଢ଼ଉ ଜାରି ରହିଛି।  ଭୋର ୫ଟା ସମୟରୁ ୬ଟି କାରରେ ଆୟକର ବିଭାଗ ଟିମ୍ ଆସି ରାଜଧାନୀରେ ଚଢ଼ଉ କରୁଛନ୍ତି। ଘର ସାମ୍ନାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି। ତେବେ ଏନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।  କୋଟିପତି ପୂର୍ବତନ ବିଧାୟକଙ୍କ ଅଚଳାଚଳ ସମ୍ପତ୍ତି ଥିବା ନେଇ ଅନେକ ଥର ଚର୍ଚା ହୋଇଛି । ୨୦୧୪ ମସିହା ଓଡ଼ିଶା ବିଧାନସଭା ନିର୍ବାଚନରେ ସନାତନ ସ୍ୱାଧୀନ ପ୍ରାର୍ଥୀ ଭାବରେ ଚମ୍ପୁଆରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୯,୬୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ କୁଶ ଅପାଟଙ୍କୁ ୧୪୬୭୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।  ବିଧାନସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହା ଯାଏଁ କାର୍ଯ୍ୟ କରିଥିଲେ । ତାଙ୍କର ବିଜେଡିରେ ମିଶ୍ରଣ ନେଇ ଚର୍ଚା ହେଉଥିବା ବେଳେ ସେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ମଧ୍ୟ ତାଙ୍କ ସମର୍ଥକମାନେ କହୁଥିଲେ । କେନ୍ଦୁଝର ରାଜନୀତିର ଚର୍ଚ୍ଚିତ ଚେହେରା ସନାତନ ମହାକୁଡ ଦିନେ ଦାନ ଧର୍ମ ସମାଜସେବା ପାଇଁ ଥିଲେ ଚର୍ଚ୍ଚାରେ ।  ୨୦୧୭ରେ ସନା ଗଢ଼ିଥିବା ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ  ଇସ୍ତଫା ଦେଇଥିଲେ ।  ରାଜ୍ୟ ରାଜନୀତିରେ ଜଣେ ବିତ୍ତଶାଳୀ ନେତା ଭାବେ ଜଣାଶୁଣା ସନା ଅନେକ ଦିନ ଧରି ସମାଜସେବାରେ ରହିଛନ୍ତି ।  କେନ୍ଦୁଝରରେ ତଗଡା ପକଡ ଅଛି ସନାତନ ମହାକୁଡଙ୍କର ।  ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ କମେଡିଆନ ପପୁ ପମ୍ ପମ୍ ଙ୍କୁ ତାଙ୍କ ବିପକ୍ଷରେ ପ୍ରାର୍ଥୀ କରାଇ ଅମାନତ ହରାଇଥିଲା । ଗଣମାଧ୍ୟମଠାରୁ ଦୂରରେ ରହୁଥିବା ସନାଙ୍କର କେନ୍ଦୁଝର ରାଜନୀତିରେ ଦବଦବା ରହିଛି ।