ସିରିଜ୍ ପୋଛିନେଲା ଘରୋଇ ଦଳ

ସିରିଜ୍ ପୋଛିନେଲା ଘରୋଇ ଦଳ

ମେଟ୍ରୋ ଟିଭି ଓଡିଶା,୨୪/୧ : ଶେଷ ପର୍ଯ୍ୟନ୍ତ ସଂଘର୍ଷ ପରେ ବି ସିରିଜ ହାରିଲା ଭାରତ । ବ୍ୟାଟିଂରେ କ୍ରମାଗତ ବିଫଳତା କାରଣରୁ ଦିନିକିଅଅର ଶେଷ ଦିନରେ ହାରିଲା ଟିମ୍ ଇଣ୍ଡିଆ । ୪ରନ୍‌ରେ ପରାଜିତ ହୋଇଛି ଭାରତ । ଏଥିସହ ଘରୋଇ ଦଳ ପୂରା ସିରିଜକୁ ପୋଛିନେଇଛି । ୩-୦ରେ ସିରିଜ ଜିତିଛି ଦକ୍ଷିଣ ଆଫ୍ରିକା ଟିମ୍ । ଟେଷ୍ଟ ସିରିଜ୍ରେ ୨-୧ରେ ପରାଜୟ ପରେ ଦିନିକିଆରେ ମଧ୍ୟ ଭାରତୀୟ ଦଳ ନିରାଶଜନକ ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଡିକକ୍ ୧୨୪ ଶତକୀୟ ଇନିଂସ ଏବଂ ଭାନ ଡର ଡସେନ(୫୨)ବଳରେ ୨୮୭ ରନ କରିଥିଲା। ଜବାବରେ ଭାରତ ଶିଖର ଧାଓ୍ଵନ(୬୧), ବିରାଟ କୋହଲି(୬୫) ଏବଂ ଦୀପକ ଚହରଙ୍କ ଲଢୁଆ ୫୪ ରନ ସତ୍ତ୍ଵେ ୪୯.୨ ଓଭରରେ ୨୮୩ ରନରେ ଅଲଆଉଟ୍ ହୋଇଛି। ଏଥିସହ ଦକ୍ଷିଣ ଆଫ୍ରିକା ରୋମାଞ୍ଚକର ମ୍ୟାଚ୍ ୪ ରନରେ ଜିତି ନେଇଛି। ଶତକୀୟ ଇନିଂସ ଖେଳିଥିବା ଡିକକ୍ ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ସିରିଜ୍ ସର୍ବାଧିକ ରନ କରି ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।

୨୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ଭଲ ନଥିଲା। ଦଳୀୟ ସ୍କୋର ୧୮ରେ ଅଧିନାୟକ କେଏଲ ରାହୁଲ(୯) ଆାଉଟ୍ ହୋଇଥିଲେ। ଶିଖର ଧାଓ୍ଵନ ଦିନିକିଆରେ ୩୫ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ବିରାଟ କୋହଲିଙ୍କ ସହ ମିଶି ଦ୍ଵିତୀୟ ଓ୍ଵିକେଟ୍ରେ ୯୮ ରନ ଯୋଡିଥିଲେ। ତେବେ ଦଳୀୟ ସ୍କୋର ୧୧୬ରେ ଧାଓ୍ଵନ ଆଉଟ୍ ହୋଇଥିଲେ। ଋଷଭ ପନ୍ତ ପ୍ରଥମ ବଲ୍ ଆଉଟ୍ ହେବା ଦଳକୁ ନିରାଶ କରିଥିଲା। ପୁଣି ୧୫୬ ରନ ସ୍କୋରରେ ବିରାଟ କୋହଲି ଆଉଟ୍ ହେବା ଭାରତକୁ ଶକ୍ତ ଝଟକା ଲାଗିଥିଲା। ୧୫୬ ରନରେ ୪ ଓ୍ଵିକେଟ୍ ହରାଇବା ପରେ ଶ୍ରେୟସ ଆୟର ଏବଂ ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଓ୍ଵିକେଟ୍ ୩୯ ରନ ଯୋଡିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନଥିଲା। ୨୧୦ ରନରେ ୬ ଓ୍ଵିକେଟ୍ ହରାଇବା ପରେ ଭାରତର ପରାଜୟ ନିଶ୍ଚିତ ଲାଗୁଥିଲା। କିନ୍ତୁ ଦୀପକ ଚହର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। ନିମ୍ନକ୍ରମର ବ୍ୟାଟସମ୍ୟାନଙ୍କୁ ଧରି ସେ ଦଳକୁ ବିଜୟର ଦ୍ଵାର ଦେଶ ପର୍ଯ୍ୟାପ୍ତ ନେଇଥିଲେ। କିନ୍ତୁ ଶେଷରେ ୪ ରନ୍‌ରେ ହାରିଲା ଭାରତ ।