ଗୁଜରାଟ ଟାଇଟନ୍ସ – ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ

ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ସମାନ ୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଗୁଜରାଟ ଚତୁର୍ଥ ଏବଂ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି। ଉଭୟ ଦଳ ଏପର୍ଯ୍ୟନ୍ତ ୩ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲା ବେଳେ ସମାନ ଦୁଇଟି ଲେଖାଏଁ ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ବରଣ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ଏହି ମ୍ୟାଚ୍‌ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଥିବାରୁ ବିଜୟ ଆଶାରେ ରହିଛି। ପୁଣି ଦୁଇ ବିଦେଶୀ ଖେଳାଳି ଲିଆମ ଲିଭିଙ୍ଗ୍‌ଷ୍ଟୋନ ଏବଂ କାଗିସୋ ରବାଦା ଦଳରେ ଯୋଗ ଦେଇସାରିଥିବାରୁ କିଙ୍ଗ୍‌ସର ଶକ୍ତି ବୃଦ୍ଧି ପାଇଛି।

ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ପରାସ୍ତ କରି ଗୁଜରାଟ ଅଭିଯାନ ଆରମ୍ଭ କରିଥିଲା ବେଳେ ପରବର୍ତୀ ମ୍ୟାଚ୍‌ରେ ଦିଲ୍ଲୀକୁ ପରାସ୍ତ କରିଥିଲା। ହେଲେ ତୃତୀୟ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ନିକଟରୁ ହାରିଯାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବା ପଞ୍ଜାବ ତୃତୀୟ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଥିଲା।