ସୁଶାନ୍ତ ସିଂଙ୍କୁ କୋଣଠେସା!
ଝାରସୁଗୁଡ଼ା ଉପନିର୍ବାଚନ ରେ ବିଜେଡି ସୁଶାନ୍ତ ସିଂଙ୍କୁ କୋଣଠେସା କରିଥିବାରୁ ରାଜନୀତି ମହଲରେ ଏବେ ଚର୍ଚା ଜୋର ଧରିଛି । ସୁଶାନ୍ତ ହେଉଛନ୍ତି ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା । ତେବେ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀମାନେ ତାଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ବିଜେଡି ନିର୍ବାଚନ ପ୍ରଚାରରେ ନେବାକୁ ଚାହୁଁନଥିବା କୁହାଯାଉଛି । ବରଗଡ଼ ଲୋକସଭା ଆସନରେ ସୁଶାନ୍ତଙ୍କ ଦବଦବା ରହିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରେ ଭଟଲି ଆସନ ରହିଛି ।
ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରେ ଉଭୟ ଝାରସୁଗୁଡ଼ା ଓ ଭଟଲୀ ରହିଛି । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ଉପନିର୍ବାଚନ ପ୍ରକ୍ରିୟାରୁ ବିଜେଡି ଦୂରେଇ ରଖିବାକୁ ନେଇ ପଶ୍ଚିମଓଡ଼ିଶା ରାଜନୀତି ସରଗରମ ହୋଇଛି ।
ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ଦେବୀପ୍ରସାଦ ମିଶ୍ର ଓ ଶାରଦା ନାୟକଙ୍କୁ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରିବା ପରେ ଆଜି ଆଉ ୫ମନ୍ତ୍ରୀଙ୍କ ସମେତ ମୋଟ ୧୨ଜଣଙ୍କୁ ବ୍ଲକ ଓ ମ୍ୟୁନିସପାଲଟି ଦାୟିତ୍ୱ ଦେଇଛି । କିନ୍ତୁ ଏହି ତାଲିକାରୁ ସୁଶାନ୍ତ ସିଂଙ୍କୁ ଦଳ ଦୂରେଇ ରଖିଥିଲେ ମଧ୍ୟ ତାଙ୍କର ଘନିଷ୍ଠ ସହଯୋଗୀ ମନ୍ତ୍ରୀ ଟୁକୁନି ସାହୁ ଓ ସରୋଜ ମେହେରଙ୍କୁ ଯଥାକ୍ରମେ କିରମିରା ଓ କୋଲାବିରା ବ୍ଲକର ଦଳୀୟ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି ।
ବିଜେଡି ପକ୍ଷରୁ କିରମିରା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କୋଲାବିରା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରୋଜ ମେହେର, ଝାରସୁଗୁଡ଼ା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁ,ଲଇକେରା ବ୍ଲକରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ର ଏବଂ ଝାରସୁଗୁଡ଼ା ମ୍ୟୁନିସପାଲଟି ପାଇଁ ମନ୍ତ୍ରୀ ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରତାପ ଜେନା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଦାୟିତ୍ୱ ମିଳିଛି । ତେବେ ନିର୍ବାଚନ ପରେ ପୁଣି ସୁଶାନ୍ତ ହାତରେ ପୂର୍ବଭଳି କ୍ଷମତା ରହିବ ବୋଲି ଚର୍ଚା ହେଉଛି ।