ଆଇପିଏଲ୍‌ରେ ଆଜି ଧୋନି-ରୋହିତ ମୁକାବିଲା

୫ ଥର ବିଜେତା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ନିକଟରୁ ହାରିଥିବାରୁ ଚାପରେ ରହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ସୁପର୍‌ କିଙ୍ଗ୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜେତା ଗୁଜରାଟ ଜାଏଣ୍ଟସ୍‌ ନିକଟରୁ ହାରିଯାଇଥିଲେ ମଧ୍ୟ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌କୁ ପରାସ୍ତ କରି ପ୍ରତ୍ୟାବର୍ତନ କରିଛି। ଫଳରେ ଏହି ଦୁଇ ପୁରୁଣା ଦଳ ମଧ୍ୟରେ ଆଉ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି।  ବ୍ୟାଟିଂ ଫ୍ରେଣ୍ଡଲି ୱାଙ୍ଖ୍‌ଡେ ପିଚ୍‌ ଏମାନଙ୍କ ପାଇଁ ଅଧିକ ଆହ୍ବାନ ଆଣିବାର ଆଶଙ୍କା ରଖିଛି।  ମୋଇନ୍ ଅଲୀ, ମିଚେଲ୍ ସାଣ୍ଟନର୍‌ଙ୍କ ବୋଲିଂ ଚେନ୍ନାଇର ଭାଗ୍ୟ ନିର୍ଣ୍ଣୟ କରିବ। ଦକ୍ଷିଣ ଆଫ୍ରିକାର ଯୁବ ବୋଲର ସିସାନ୍ଦା ମଗଲା ୱାଇଡ୍ ୟର୍କର ପାଇଁ ବିଶେଷ ପରିଚିତି ରଖିଥିବାରୁ ସାଣ୍ଟନରଙ୍କ ବଦଳରେ ଖେଳିପାରନ୍ତି। ମୁମ୍ବାଇ ପାଇଁ ଜୋଫ୍ରା ଆର୍ଚର, ଅର୍ସଦ ଖାନ୍‌, କାମେରନ୍ ଗ୍ରିନ୍, ଈଶାନ କିଶନ ନିଶ୍ଚିତ ଭଲ କରିବାକୁ ଆଶା ରଖିବେ। ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମାଙ୍କଠାରୁ ପ୍ରଭାବୀ ପ୍ରଦର୍ଶନର ଲମ୍ବା ଅପେକ୍ଷା ରହିଲାଣି। ତିଲକ ବର୍ମା ଗତ ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଦୀପକ ଚହର ଆହତ ସମସ୍ୟାରୁ ଫେରିବା ପରଠାରୁ ସେତେଟା ଭଲ କରୁନଥିବାରୁ ଧୋନିଙ୍କ ଚିନ୍ତା ମଧ୍ୟ ବଢ଼ିଛି।