ରାଜ୍ୟ ବିଜେପି ସଭାପତି ଭାବେ ମନମୋହନ ସାମଲ ନିଯୁକ୍ତ

ଭୁବନେଶ୍ବର: ଧାମନଗର ଉପ ନିର୍ବାଚନରେ ବିଜେପିକୁ ସଫଳତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ  ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଦଳର ରାଜ୍ୟ ସଭାପତି ଦାୟିତ୍ବ ମିଳିଛି। ରାଜ୍ୟ ସଭାପତି ଥିବା ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ ମନମୋହନ ସାମଲ। ଆଗକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଆସୁଥିବାରୁ ତାଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଥିବା ପ୍ରେସ ରିଲିଜ ପ୍ରକାଶ କରିଛନ୍ତି ।
ଏବିଭିପିର ସଦସ୍ୟରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ମନମୋହନ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି। ସେ ୨୦୦୪ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ମନମୋହନ ୨୦୦୪ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଜେପି-ବିଜେଡି ମେଣ୍ଟ ଥିବା ବେଳେ ସେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ରାଜସ୍ୱ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।