ଅଷ୍ଟ୍ରେଲିଆ ବିପକ୍ଷ ଆଜି ଦ୍ବିତୀୟ ଦିନିକିଆ : କମବ୍ୟାକ କରିବେ ରୋହିତ ଶର୍ମା

ବିଶାଖାପଟନମରେ ହେବାକୁ ଥିବା  ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦଳକୁ କମବ୍ୟାକ କରିବେ ଭାରତର ଅଧିନାୟକ ରୋହିତ ଶର୍ମା ।  ରୋହିତ ପୁଣିଥରେ ଦଳକୁ ଫେରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ କିସାନଙ୍କୁ ଦଳରୁ ବାଦ ଦିଆଯାଇପାରେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଉଭୟ ଖେଳାଳି ଫ୍ଲପ ହୋଇଛନ୍ତି । ଇଶାନ ମାତ୍ର ୫ ରନ କରିଥିବା ବେଳେ ପ୍ରଥମ ବଲରେ ହିଁ ପାଭିଲିୟନ ଫେରିଥିଲେ ସୂର୍ଯ୍ୟକୁମାର ।  ଟି-୨୦ ଫର୍ମାଟର ସର୍ବେଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦିନିକିଆ କ୍ରିକେଟରେ ବାରମ୍ବାର ଫେଲ ମାରୁଛନ୍ତି । ଅନ୍ୟ ପକ୍ଷରେ ଇଶାନ କିସାନଙ୍କ ନିକଟରେ ମଧ୍ୟକ୍ରମରେ ଭଲ ପ୍ରଦର୍ଶନ କରିବାର କ୍ଷମତା ରହିଛି । ତେଣୁ ଦ୍ୱିତୀୟ ଦିନିକିଆରେ ସୂର୍ଯ୍ୟକୁମାର ଦଳରେ ସ୍ଥାନ ହରାଇପାରନ୍ତି । କିଶନଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ଯୋଜନା ହେଲେ ସୂର୍ଯ୍ୟକୁମାର ଯାଦବ ବାଦ୍‌ ପଡ଼ିପାରନ୍ତି। ଶ୍ରେୟସ ଆୟରଙ୍କ ବଦଳରେ ସୂର୍ଯ୍ୟକୁମାର ମଧ୍ୟ ୪ ନମ୍ବର ସ୍ଥାନ ବଜାୟ ରଖିପାରନ୍ତି। ବିଶାଖାପାଟଣା ପିଚ୍‌ରେ ସ୍ପିନରଙ୍କ ପ୍ରଦର୍ଶନ ଭଲ ଥିବାରୁ ଶାର୍ଦୁଳ ଠାକୁରଙ୍କ ବଦଳରେ ୱାସିଂଟନ୍ ସୁନ୍ଦରଙ୍କୁ ଖେଳାଇବା ଯୋଜନା ମଧ୍ୟ ଆଲୋଚନା ପରିସରଭୁକ୍ତ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ମୁମ୍ବାଇରେ ଖେଳିପାରିନଥିବା ଡେଭିଡ୍ ୱାର୍ଣ୍ଣର ଓ ଆଲେକ୍ସ କ୍ୟାରି ରବିବାର ସୁଯୋଗ ପାଇବା ସମ୍ଭାବନା ରହିଛି। ୱାର୍ଣ୍ଣର ଫେରିବା ଚୂଡାନ୍ତ ହେଲେ ଅଷ୍ଟ୍ରେଲିଆକୁ ଏହାର ବ୍ୟାଟିଂ କ୍ରମରେ ଅଦଳ ବଦଳ କରିବାକୁ ପଡ଼ିବ। କ୍ୟାରି କିନ୍ତୁ ଜୋସ୍ ଇଙ୍ଗଲିସ୍‌ଙ୍କ ବଦଳରେ ସିଧାସଳଖ ଖେଳିବେ।