ଦେଶରେ ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ିଚାଲିଛି

 ଏଚ୍‌୩ଏନ୍‌୨ ସଂକ୍ରମଣ ଭୟ ବଢ଼ାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ସପ୍ତାହରେ ଏଚ୍‌୩ଏନ୍‌୨ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ତେବେ ସରକାର ଏଚ୍୩ଏନ୍‌୨ ମୃତ୍ୟୁ ସଂକ୍ରାନ୍ତରେ ସଦ୍ୟ ତଥ୍ୟ ଦେଇନଥିଲେ ସୁଦ୍ଧା ଦେଶରେ ଏଥିଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି ବୋଲି କୁହାଯାଉଛି। ଗତକାଲି ଗୁଜରାଟରେ ଜଣଙ୍କର ଏଚ୍‌୩ଏନ୍‌୨ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିଲା।ମହାରାଷ୍ଟ୍ରରେ ଆଜି ଏଚ୍‌୩ଏନ୍‌୨ ପାଇଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରରେ ଏଯାବତ ମୋଟ୍‌ ୫୮ ଏଚ୍‌୩ଏନ୍‌୨ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ୪୮ ଜଣ ଏଚ୍‌୩ଏନ୍‌୨ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଚ୍‌୩ଏନ୍‌୨ ସଂକ୍ରମଣ ପାଇଁ ରାଜ୍ୟମାନେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୁଡ଼ୁଚେରୀ ସରକାର ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ସମସ୍ତ ସରକାରୀ ସ୍କୁଲ ୧୧ ଦିନ ପାଇଁ ବନ୍ଦ କରିଛନ୍ତି। ମାର୍ଚ୍ଚ ୧୬ରୁ ୨୬ ପର୍ୟ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସରକାରୀ ସ୍କୁଲ ବନ୍ଦ ରହିବ।