କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହୋଇଛି ନାଗାଲାଣ୍ଡ ବିଧାନସଭା

କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହୋଇଛି ନାଗାଲାଣ୍ଡ ବିଧାନସଭା। ନିର୍ବାଚନରେ ଜିତିଥିବା ସବୁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ସମର୍ଥନ ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ ବିଧାୟକ ବିଧିବଦ୍ଧ ଭାବେ ସରକାରରେ ସାମିଲ ହେବେ ନା ବାହରୁ ସମର୍ଥନ ଯୋଗାଇବେ, ସେକଥା ସ୍ପଷ୍ଟ ହୋଇନି।ସବୁ ବିଧାୟକଙ୍କୁ ସରକାରରେ ସାମିଲ କରାଯିବ କି ନାହିଁ, ତା’ର ନିଷ୍ପତ୍ତି କ୍ଷମତାରେ ଥିବା ଏନଡିପିପି-ବିଜେପି ମେଣ୍ଟ ମିଳିତ ଭାବେ ନେବେ ବୋଲି ନାଗାଲାଣ୍ଡ ଡେପୁଟି ମୁଖ୍ୟମନ୍ତ୍ରୀ ୱାଇ ପାଟ୍ଟୋନ ସୂଚନା ଦେଇଛନ୍ତି। ରିଓ ଏନଡିପିପି ମୁଖ୍ୟ ହୋଇଥିବା ବେଳେ ତାଙ୍କ ଡେପୁଟି ପାଟ୍ଟୋନ ହେଉଛନ୍ତି ବିଜେପି ନେତା।
୨୦୨୧ରେ ମଧ୍ୟ ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ ରହିଥିଲା। ସବୁ ଦଳର ବିଧାୟକ ସରକାରଙ୍କୁ ସମର୍ଥନ କରିବାରୁ ଏନଡିପିପି-ବିଜେପି ମେଣ୍ଟର ନାଁ ପିପୁଲ୍ସ ଡେମୋକ୍ରାଟିକ ଆଲିଆନ୍ସ ଗଭର୍ଣ୍ଣମେଣ୍ଟରୁ ୟୁନାଇଟେଡ ଡେମୋକ୍ରାଟିକ ଆଲିଆନ୍ସ(ୟୁଡିଏ) ହୋଇଥିଲା। ସେତେବେଳେ ଏକମାତ୍ର ବିରୋଧୀ ଦଳ ଭାବେ ଏନିପିଏଫ ୨୬ ବିଧାୟକଙ୍କ ସହ ରହିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଜଣେ ସ୍ୱାଧୀନ ବିଧାୟକଙ୍କ ସହ ଏନପିଏଫର ୨୬ ଜଣ ବିଧାୟକ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ।