ଦଳୀୟ ଶୀର୍ଷ ନେତୃତ୍ୱକୁ ସିଧା ବାଣ ମାରିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ଆଉ ତେରେଛା ନୁହେଁ, ଏଥର ସିଧା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗତକାଲି ପାରାଦୀପରେ ଆୟୋଜିତ ବିଜୁ ଜନ୍ମୋତ୍ସବ ଅବସରରେ ଯୋଗ ଦେଇ ଦଳୀୟ ଶୀର୍ଷ ନେତୃତ୍ୱକୁ ସିଧା ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ। କହିଛନ୍ତି, ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିଲେ ନାହିଁ। ହେଲେ ତାଙ୍କ ନାମରେ ନାମିତ ଦଳ ଯଥା ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଶାସନ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି। ଏହା ଚାଲିବ ମଧ୍ୟ। କିନ୍ତୁ ମୁଁ ଓଲଟା ପ୍ରଶ୍ନ କରୁଛି। ହେଲେ କ୍ଷମତାର ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ଏଭଳି କ୍ଷମତା ଉପଭୋଗ କରିବାର ଯୋଗ୍ୟତା ତୁମର ଅଛି କି ନାହିଁ ଏହି ସଭାରେ ବସିଥିବା ଲୋକ ଓ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଲୋକେ ନିଜକୁ ନିଜେ ପଚାରି ତାର ଉତ୍ତର ଖୋଜିବା ଦରକାର ବୋଲି ସେ କହିଛନ୍ତି।
ସୌମ୍ୟ ଆହୁରି କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ବିଷୟରେ କାହାଣୀ ଶୁଣିବାକୁ ଭଲ ଲାଗୁଛି। ହେଲେ ଓଡ଼ିଆରେ କଥା ଅଛି ‘ମୋ ଅଜାଙ୍କ ନିଜ ନିଶ ଥିଲା, ହେଲେ ମୋର ତ ନାହିଁ’। ଅଜାଙ୍କ ନିଶକୁ ନେଇ ଆମେ କେତେ ଦିନ ଗର୍ବ କରିବା? ବିଜୁଙ୍କ ପଟ୍ଟନାୟକଙ୍କ ନିଶ, ସାହସ, ନିର୍ଭିକତା ଓ ସପ୍ନକୁ ନେଇ କେତେ ଦିନ ଗର୍ବ କରିବା? ମୋର ନ ହେଲା ନାହିଁ ମୋ ଅଜାର ନିଶ ଥିଲା। ଏସବୁ ଅଭ୍ୟାସ ବେଶି ଦିନ ଚାଲିବ ନାହିଁ। ଆମେ ଯଦି ତାଙ୍କ ଭଳି ହୋଇପାରିବା ତାହାହେଲେ ତାଙ୍କ ଜନ୍ମଦିନ ପାଳନ କରିବା ଠିକ୍ ହେବ। ଅଜାଙ୍କ ନିଶ ଥିଲା କହି ଗର୍ବ ଅର୍ଜନ କଲେ ତୁମକୁ କେହି ଆଉ ସମ୍ମାନ ଦେବେ ନାହିଁ।