ଯୁବ ସଂଗମ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ପହଁଚିଲେ ସିକ୍କିମ ପ୍ରତିନିଧି
ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ସିକ୍କିମ ଏନଆଇଟିର ୨୫ ଜଣ ଛାତ୍ରଛାତ୍ରୀ ଓ ୫ ଜଣ ଅଧ୍ୟାପକ/କର୍ମଚାରୀ ଏକ ସପ୍ତାହବ୍ୟାପୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେମାନଙ୍କୁ ରାଉରକେଲା ଏନଆଇଟି ପକ୍ଷରୁ ସ୍ୱାଗତ କରାଯାଇଛି। ଯୁବ ସଂଗମ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଛି । ନାଗରିକ ସମ୍ପର୍କ, ବିଶେଷ କରି ଉତ୍ତର ପୂର୍ବ ଭାରତର ଯୁବବର୍ଗଙ୍କ ସହିତ ଦେଶର ଅନ୍ୟ ରାଜ୍ୟର ଯୁବବର୍ଗଙ୍କ ସମ୍ପର୍କ ଯୋଡ଼ିବା ଏହାର ଉଦ୍ଦେଶ୍ୟ। ଏହାଦ୍ୱାରା ଆୟୋଜକ ରାଜ୍ୟରେ ଜୀବନର ବିଭିନ୍ନ ସ୍ୱରୂପ, ବିକାଶର ମାଇଲଖୁଣ୍ଟ, ସାମ୍ପ୍ରତିକ ଉପଲବ୍ଧି ଏବଂ ଯୁବପିଢ଼ିଙ୍କ ସମ୍ପର୍କ ବିଷୟରେ ପରିଦର୍ଶନ ରାଜ୍ୟର ଯୁବପ୍ରତିନିଧିମାନେ ଅନୁଭୂତି ହାସଲ କରିପାରିବେ । ଗସ୍ତ ସମୟରେ ପରିଭ୍ରମଣକାରୀ ଯୁବ ପ୍ରତିନିଧିମାନେ ପାଞ୍ଚଟି ପ୍ରମୁଖ କ୍ଷେତ୍ର – ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପ୍ରଦ୍ୟୋଗିକୀ ଓ ପରସ୍ପର ସମ୍ପର୍କକୁ ଉଜାଗର କରିପାରିବେ ।
ସିକ୍କିମର ପ୍ରତିନିଧିମାନେ ଇସ୍ପାତ ଟ୍ରେନରେ ଆସି ଆଜି ଅପରାହ୍ଣ ସାଢ଼େ ଗୋଟାଏ ସମୟରେ ରାଉରକେଲା ସ୍ମାର୍ଟ ସିଟିରେ ପହଞ୍ଚିଥିଲେ। ଏନଆଇଟି ରାଉରକେଲାର ପ୍ରତିନିଧି, ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ, ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଏସ. ଜେନା, ସୁରକ୍ଷା ଓ ନିରାପତ୍ତା ବିଭାଗର ପ୍ରାଧ୍ୟାପକ ଅନୀଲ କୁମାର ସିଂ, ଏନଆଇଟି ରାଉରକେଲା ଯୁବା ସଂଗମ କାର୍ଯ୍ୟକ୍ରମର ସଂଯୋଜକ ଏବଂ କିଛି ଛାତ୍ର ସ୍ବେଚ୍ଛାସେବୀ ଫୁଲମାଳ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।
ଯୁବା ସଂଗମ ଯୁବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ଏନଆଇଟି ରାଉରକେଲାକୁ ନୋଡାଲ୍ ପ୍ରତିଷ୍ଠାନ ଭାବେ ଚୟନ କରାଯିବା ସହିତ ଏହାକୁ ଏନଆଇଟି ସିକ୍କିମ ସହିତ ଯୋଡ଼ଯାଇଛି । ଏନଆଇଟି ରାଉରକେଲା ପକ୍ଷରୁ ସିକ୍କିମର ପ୍ରତିନିଧି ଦଳ ପାଇଁ ପାଞ୍ଚ ଦିନିଆ ଗସ୍ତ କାର୍ଯ୍ୟକ୍ରମ (ଆଗମନ ଓ ପ୍ରସ୍ଥାନ ତାରିଖକୁ ବାଦ ଦେଇ ୨୫ ଫେବୃଆରୀ ଠାରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ) ଆୟୋଜନ କରାଯାଉଛି ।
ସବୁ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶକ ପ୍ରଫେସର କେ ଉମାମହେଶ୍ୱର ରାଓ ସ୍ୱାଗତ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ଏନଆଇଟି ରାଉରକେଲାର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ କହିଛନ୍ତି ଯେ, ‘‘ଯୁବା ସଂଗମ ହେଉଛି ଭାରତର ବିବିଧତାକୁ ପାଳନ କରିବାର ଏକ ଅଭିନବ କାର୍ଯ୍ୟକ୍ରମ। ଭାରତର ଯୁବପିଢ଼ି ବିଭିନ୍ନ ରାଜ୍ୟର ଲମ୍ବା ଐତିହାସିକ ଯାତ୍ରାର ଗୁରୁତ୍ବକୁ ଜାଣିବା ଉଚିତ୍ ଏବଂ ପରମ୍ପରା, ପ୍ରଯୁକ୍ତି ବିନିମୟ କରିବା ଓ ସମ୍ପର୍କ ଯୋଡ଼ିବା ଲାଗି ପରସ୍ପର ସହ ମତବିନିମୟ କରିବା ଆବଶ୍ୟକ ।
ସିକ୍କିମର ସଂଯୋଜକ ଶ୍ରୀ ସୁମୀତ କୁମାର କହିଛନ୍ତି, ‘‘ପ୍ରଭୁ ଜଗନ୍ନାତଙ୍କ ମାଟିକୁ ଆସି ଆମେ ଆନନ୍ଦିତ। ଦୁଇ ଦିନ ଧରି ଯାତ୍ରା କରିବା ସାରିବା ପରେ ଏନଆଇଟି ରାଉରକେଲା ଓ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆମକୁ ଯେଭଳି ଭାବେ ସ୍ୱାଗତ କରାଗଲା ତାହା ଯାତ୍ରା ସମୟର କ୍ଳାନ୍ତିକୁ ଦୂରେଇ ଦେଇଥିଲା। ଷ୍ଟେସନରେ ସେମାନେ ଆମକୁ ବେଶ ରୋଚକ ଓ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ। ଗସ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ ଆମକୁ ନିଜ ସଂସ୍କୃତିର ଉଦାରତା ଓ ଆତିଥେୟ ପ୍ରଦର୍ଶନ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ଏନଆଇଟି ରାଉରକେଲାର ସମ୍ପୂର୍ଣ୍ଣ ଟିମ୍ ଆମକୁ ଆପଣାର ଭଳି ଆତିଥ୍ୟ ଅନୁଭୂତି ପ୍ରଦାନ କରିଛନ୍ତି। ଓଡ଼ିଶୀ ସଂସ୍କୃତିକୁ ଅତି ନିକଟରୁ ଦେଖି ଆମେ ଅନୁପ୍ରାଣିତ ହୋଇପାରିବୁ। ଆମେ ଏହାର ଐତିହ୍ୟକୁ ଭଲ ଭାବେ ଜାଣିବା ଲାଗି ଆଗ୍ରହୀ ରହିଛୁ । ମୋର ସିକ୍କିମ ପ୍ରତିନିଧି ଦଳ ପକ୍ଷରୁ, ଭବ୍ୟ ସ୍ୱାଗତ ଓ ହାର୍ଦ୍ଦିକ ଆତିଥେୟ ପାଇଁ ମୁଁ ଏନଆଇଟି ରାଉରକେଲାକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।’’
ଭାରତ ସରକାରଙ୍କ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ରେଳବାଇ, ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା, ସ୍ୱରାଷ୍ଟ୍ର ବ୍ୟାପାର, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ବିଭାଗ ଏବଂ ଆଇଆରସିଟିସି ପ୍ରମୁଖ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯୁବା ସଂଗମର ପାଇଲଟ୍ କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଯୁବପିଢ଼ି ଅଂଶଗ୍ରହଣ କରିବେ । ଉତ୍ତର ପୂର୍ବ ଭାରତ ଏବଂ ଦେଶର ଅବଶିଷ୍ଟ ଭାଗର ଯୁବବର୍ଗଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବା ଓ ସୁଦୃଢ଼ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ବିଶେଷ ଉପାଦେୟ ସାବ୍ୟସ୍ତ ହେବ ।