ବିବିସି କାର୍ଯ୍ୟାଳୟରେ ଆଇଟି ଚଢ଼ଉକୁ ନେଇ ରାଜନୀତି

ବିବିସି କାର୍ଯ୍ୟାଳୟରେ ଆଇଟି ଚଢ଼ଉ  ।  ଆୟକର ଅଧିକାରୀମାନେ ବିବିସି ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଛନ୍ତି । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ସରକାରଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି । ଫୋନ୍, ଦସ୍ତାବିଜ ଓ ଲାପଟପ ଜବତ କରିବା ସହ କାର୍ଯ୍ୟାଳୟ ସିଲ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଦୁଇଟି ଡକୁମେଣ୍ଟାରି ପ୍ରସ୍ତୁତ କରିବା ପରେ ଏହି ସଂସ୍ଥାକୁ ନେଇ ଚର୍ଚା ଲାଗି ରହିଥିଲା ।  କେତେକ ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ ଆୟକର ସଂସ୍ଥା ପକ୍ଷରୁ ଏହି ଚଢ଼ଉ କରାଯାଇଛି। ବିବିସି ପକ୍ଷରୁ ଏ ନେଇ ଟ୍ବିଟ୍ କରି କୁହାଯାଇଛି ଯେ ଆୟକର ଅଧିକାରୀମାନଙ୍କ ତଦନ୍ତରେ ସେମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏ ପରିସ୍ଥିତିର ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ୍‌ ସରକାର ବିବିସି ଚଢ଼ଉ ଉପରେ ସତର୍କ ନଜର ରଖିଛନ୍ତି। ବ୍ରିଟେନର ଏହି ସରକାରୀ ଚ୍ୟାନେଲ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ବିଶ୍ବବ୍ୟାପୀ ଚର୍ଚ୍ଚାରେ ରହିଥିବା ବେଳେ ଲୋକଙ୍କ ଟିକସ ଅର୍ଥରେ ଏହି ସଂସ୍ଥା ଭାରତ ଭଳି ସଫଳ ଗଣତାନ୍ତ୍ରିକ ରାଷ୍ଟ୍ର ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି।  ଚଢ଼ଉରେ ବିବିସି ସାମ୍ବାଦିକମାନଙ୍କ ମୋବାଇଲ ଫୋନ୍ ଓ ଲାପଟପ ଏବଂ ଅନେକ କାଗଜପତ୍ର ଜବତ କରାଯାଇଛି। ତଲାସି ଆରମ୍ଭ ହେବାର ଛଅଘଣ୍ଟା ପରେ ଏବଂ ସେମାନଙ୍କ ଲାପଟପ ଆଦି ସ୍କାନ କରାଯିବା ପରେ ହିଁ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା। କତେକ କର୍ମଚାରୀ ଆଇଟି ଅଧିକାରୀମାନଙ୍କ ସହ ଯୁକ୍ତିତର୍କ କରିବା ଦେଖାଯାଇଥିଲା।