ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ

ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ନାଗପୁରରେ ଦିନ ୯ଟା ୩୦ରେ  ପ୍ରଥମ ମ୍ୟାଚ । ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ସମ୍ଭାବନା । ଏହି ସିରିଜରେ ଉଭୟ ଦେଶର ଖେଳାଳି ନିଜ ନାଁରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଶୃଙ୍ଖଳାକୁ ମୂଳପୋଛ କରି ଡବ୍ଲୁଟିସି ବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ନଜର ରଖିଥିଲା ବେଳେ ଅନ୍ୟପକ୍ଷରେ ଭାରତଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।ପୂର୍ବ ଦୁଇ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ ବଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଥିବାରୁ ଏହା କମିନ୍ସଙ୍କୁ ଅତିମାତ୍ରାରେ ବାଧିଛି । ଦଳୀୟ ସନ୍ତୁଳନ ଦୃଷ୍ଟିକୋଣରୁ ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା ବ୍ୟାଟିଂକ୍ରମ ସମ୍ଭାଳିବା ନିଶ୍ଚିତ । ହେଲେ ଦ୍ୱିତୀୟ ଓପ୍ନର ଏବଂ ପଂଚମ ସ୍ଥାନରେ ବ୍ୟାଟିଂ ପାଇଁ ଚିନ୍ତା ଜାରି ରହିଛି । ଏହି ସ୍ଥାନ ପାଇଁ ଶୁବମନ ଗିଲ୍, କେଏଲ୍ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଦାବିଦାର ରହିଥିଲା ବେଳେ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ । ତେଣୁ ଦୁଇଟି ସ୍ଥାନ ପାଇଁ ଏହି ତିନି ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।