ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ବର:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ।

ରାଷ୍ଟ୍ରପତି ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନ ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ୟ୍ୟ ସୂଚୀ ରହିଛି।

ମଧ୍ୟାନ୍ନ ବିରତି ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ମଧ୍ୟ ଯୋଗ ଦେବେ। ଏହା ପରେ ରାଷ୍ଟ୍ରପତି ରାଜଭବନରେ ରାତ୍ର ଯାପନ କରିବେ। ସେହିଭଳି ପରଦିନ ଅର୍ଥାତ୍ ୧୧ ତାରିଖ ସକାଳ ସମୟରେ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ କଟକ ଗସ୍ତ କରି ଜାତୀୟ ଧାନ ଗବେଷଣା କେନ୍ଦ୍ରଠାରେ ଦ୍ୱିତୀୟ ଭାରତୀୟ ଧାନ କଂଗ୍ରେସକୁ ଉଦଘାଟନ କରିବେ। ଏହା ପରେ ଉକ୍ତ ଦିନ ଭୁବନେଶ୍ୱର ବିମାନ ବନ୍ଦରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।