ରାଜ୍ୟରେ ଧାନମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ବେହାଲ୍: କଟନି ଛଟନିରେ ଚାଷୀ ହନ୍ତସନ୍ତ

ଭୁବନେଶ୍ବର : ରାଜ୍ୟରେ ଧାନମଣ୍ଡି ବ୍ୟବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ବିରୋଧୀମାନେ ଏବେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । କଂଗ୍ରେସ ଏବଂ ବିଜେପି ଚାଷୀମାନଙ୍କ ସହ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଧମକ ଦେଲେଣି । ଅନକ ସ୍ଥାନରେ ଚାଷୀଙ୍କୁ ମିଲରମାନେ ହନ୍ତସନ୍ତ କରୁଛନ୍ତି ।  ପରିସ୍ଥିତି ଏପରି ହୋଇଛି ଯେ ମିଲ୍‌ର ହାତରେ ମଣ୍ଡିର ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଥିବାରୁ ବିଜେପି ଆଉ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।  ମିଲ୍‌ ମାଲିକ, ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ଓ ରାଜ୍ୟର କିଛି ନ୍ୟସ୍ତ ସ୍ୱାର୍ଥ ଅଧିକାରୀଙ୍କ ପାଖରେ ଧାନମଣ୍ଡି ବନ୍ଧା ପଡ଼ିଛି। ଚାଷୀମାନେ ବର୍ଷ ବର୍ଷ ଧରି ଲୁଟର ଶିକାର ହେଉଛନ୍ତି ।  ମିଲରମାନଙ୍କ ମନମାନୀ ଓ ଟାଳ ଟୁଳନୀତି ଯୋଗୁଁ ଧାନ କ୍ବିଣ୍ଟାଲ ପିଛା ୫କିଗ୍ରା ରୁ ୧୦କିଗ୍ରା କଟ୍‌ନି ଛଟ୍‌ନିର ଶିକାର ହେଉଛି ଚାଷୀ।  ଏହାର ଉତ୍ତର ସରକାର ଦେବାକୁ କଂଗ୍ରେସ କହିଛି । ସେହିପରି ବିଜେପି ମଧ୍ୟ ପ୍ରେସ ମିଟ କରି ପ୍ରଶ୍ନ ପ୍ରଶ୍ନ କରିଚାଲିଛି ।  କୀଟପତଙ୍ଗ ବାର୍‌ହା ଓ ହାତୀଙ୍କ ଉପଦ୍ରବ୍ୟଠାରୁ ମିଲର ଓ ଯୋଗାଣ ବିଭାଗ ଅଧିକାରୀଙ୍କ ଦୌରାତ୍ମ୍ୟ ବଳି ଯାଇଛି ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି।କୃଷକମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ଏକ ପ୍ରେସ ବାର୍ତାରେ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରତିବର୍ଷ ଉତ୍ପାଦନ ମୂଲ୍ୟର ଦେଢ଼ଗୁଣା ଏମ୍‌ଏସପି ବୃଦ୍ଧି କରୁଛନ୍ତି। ମାତ୍ର ରାଜ୍ୟ ସରକାରଙ୍କର ଅତ୍ୟଧିକ ମିଲର୍ସ ପ୍ରୀତି କାରଣରୁ ଚାଷୀକୁ ସେତିକି ପ୍ରାପ୍ୟ ଠିକରେ ମିଳୁନାହିଁ। ରାଜ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଲପିସି ବୈଠକ ବସିପାରୁନାହିଁ। ରାଜ୍ୟ ସରକାର ନିଜର ବୃହତ୍ତର ସ୍ୱାର୍ଥ ସାଧନ ପାଇଁ ଟୋକନ ଓ ମିଲର ଆବଣ୍ଟନ ପ୍ରକ୍ରିୟାକୁ ଜିଲ୍ଲାପାଳଙ୍କ ହାତରୁ କାଢ଼ି ନେଇ ରାଜ୍ୟ ଯୋଗାଣ ସଚିବଙ୍କ ହାତରେ ରଖିଛନ୍ତି। ଯାହାଫଳରେ ଏଥିରେ ସ୍ବଚ୍ଛତା ରହୁନାହିଁ। ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀର ତାଲିକା ମଣ୍ଡି କାନ୍ଥରେ ସାର୍ବଜନୀନ କରାଯାଉନାହିଁ। ମଣ୍ଡି ବିଳମ୍ବରେ ଖୋଲୁଥିବାରୁ ଅନେକ କ୍ଷୁଦ୍ର ଚାଷୀ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଦଲାଲ ଓ ବେପାରୀଙ୍କୁ ୧୨ଶହ ଟଙ୍କାରୁ ୧୪ଶହ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।