ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି

ଭୁବନେଶ୍ବର : କଂଗ୍ରେସକୁ କାଟି ରାଜ୍ୟରେ ଦୁଇ ନମ୍ବରରେ ଥିବା ବିଜେପି ଏକନମ୍ବର ହେବାକୁ ଚେଷ୍ଟା ଚଳାଇଛି । ରାଜ୍ୟରେ ଆଗାମୀ ଦିନରେ ସରକାର ଗଠନ କରିବାକୁ ବିଜେପି ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଉଛି । ତେବେ ତଳ ସ୍ତରରେ ଭୋଟ ପଡୁନଥିବାରୁ ରାଜ୍ୟ ବିଜେପି ଚିନ୍ତାରେ । ଆଗାମୀ ଦିନରେ ବିଜେଡିର ଭୋଟ କାଟିବାକୁ ବିଜେପି ରଣନୀତି କରୁଛି । ଏହାରି ଭିତରେ ରାଜ୍ୟର ବର୍ତ୍ତମାନର ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୨ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହାସହ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କ ବୈଠକ ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ କେନ୍ଦ୍ର ମନ୍ତ୍ରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକାରିଣୀ ବୈଠକ ଚନ୍ଦ୍ରଶେଖରପୁସ୍ଥିତ ହୋଟେଲ ପଦ୍ମଜା ପ୍ରିମିୟମ‌ରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।