ଦିନିକିଆର ପ୍ରଥମ ମ୍ୟାଚରେ ହାରିଲା ଭାରତ
ମେଟ୍ରୋ ଟିଭି ଓଡିଶା,୨୦/୧ : ଦିନିକିଆର ପ୍ରଥମ ଦିନରେ ହାରିଲା ଭାରତ । ଘରୋଇ ଦଳ ଦକ୍ଷିଣ ଆଫ୍ରିକା ୩୧ରନରେ ଭାରତକୁ ପରାସ୍ତ କରିଛି । ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା । ଏହାର ଜବାବରେ ଭାରତ ୮ ୱିକେଟ୍ ହରାଇ ୨୬୫ ରନ୍ କରିପାରିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ଵନ ସର୍ବାଧିକ ୭୯ ରନ, ବିରାଟ କୋହଲି ୫୧ ରନ ଓ ଶାର୍ଦ୍ଦୁଲ ଠାକୁର ୫୦ ରନ୍ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ର ବିଫଳ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ତବରେଜ ଶାମସୀ ଓ ଆଣ୍ଡିଲେ ଫେଲୁକୱାୟୋ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଆରମ୍ଭରୁ ୩ଟି ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଅଧିନାୟକ ତେମ୍ବା ବାଭୁମା ୧୧୦ ଏବଂ ଡସେନଙ୍କ ଅପରାଜିତ ୧୨୯ ରନର ଆକର୍ଷଣୀୟ ଶତକୀୟ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ସ୍କୋର କରିଛି। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍ ପାଇଁ ଦ୍ଵିଶତକୀୟ ଭାଗିଦାରୀ ଯୋଡିଛନ୍ତି। ଦୁଇ ବ୍ୟାଟସମ୍ୟାନଙ୍କ ସାମ୍ନାରେ ଭାରତୀୟ ବୋଲର ପ୍ରଭାବହୀନ ରହିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ୧୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଜାନେମନ ମଲାନ ୬ ଙ୍କୁ ଆଉଟ୍ କରି ବୁମରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୫୮ ରନରେ କ୍ଵିଣ୍ଟନ ଡିକକ୍ ୨୭ ଙ୍କ ରୂପେ ଘରୋଇ ଦଳକୁ ଦ୍ଵିତୀୟ ଝଟକା ଲାଗିଥିଲା। ଆଡନ ମାରକ୍ରମ ୪ରନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୬୮ ରନରେ ୩ଟି ଓ୍ଵିକେଟ୍ ହରାଇ ସଙ୍କଟରେ ଥିବା ଦକ୍ଷିଣ ଆଫ୍ରିକାର ଇନିଂସ ସମ୍ଭାଳିଥିଲେ ଅଧିନାୟକ ତେମ୍ବା ବାଭୁମା ଏବଂ ରସି ଭାନଡର ଡସେନ।
ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪୮ ରନ ଦେଇ ୨ଟି ଏବଂ ଅଶ୍ଵିନ ୫୩ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି। ଦଳ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇ ୧୦ ଓଭରରେ ୭୨ ରନ ଦେଇଛନ୍ତି। ୟୁଜବେନ୍ଦ୍ର ଚହଲ ୫୩ ରନ ଦେଇଥିଲେ ହେଁ କୌଣସି ସଫଳତା ପାଇ ନାହାନ୍ତି। ଭୁବନେଶ୍ଵର କୁମାର ୬୪ ରନ ଦେଇ ଗୋଟିଏ ହେଲେ ଓ୍ଵିକେଟ୍ ନେଇ ପାରି ନାହାନ୍ତି।