ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ତାଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି

କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ତାଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି। ଏହି ଚିଠିରେ ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ କୋଚ୍‌ଙ୍କ ସହ ଓସିଏର ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଏହି ଚିଠିଟି ରାଜଶ୍ରୀଙ୍କ ହାତଲେଖା ନା ନାହିଁ ସ୍ପଷ୍ଟ ହୋଇ ନାହିଁ। ଗତକାଲି ଗୁରୁଡ଼ିଝାଟିଆ ପୁଲିସ ତାଙ୍କ ଗାଡ଼ି ଡିକିରୁ ଏହି ଚିଠିଟିକୁ ଜବତ କରିଥିଲା। ପରେ ଯାଞ୍ଚ  ପାଇଁ ଫରେନସିକ୍‌ ଲ୍ୟାବକୁ ପଠାଇଛି।ଅନ୍ୟପକ୍ଷରେ ସ୍କୁଟି ଡିକିରୁ ମିଳିଥିବା ଚିଠି ରାଜଶ୍ରୀଙ୍କର ହାତଲେଖା  ନୁହେଁ ବୋଲି ରାଜଶ୍ରୀଙ୍କ ମା’ କହିଛନ୍ତି।  ଖୁବଶୀଘ୍ର ଓସିଏର କିଛି କର୍ତ୍ତୃପକ୍ଷଙ୍କୁ ପୁଲିସ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।
ମହିଳା କ୍ରିକେଟର ରାଜଶ୍ରୀ  ଗତ ୧୧ ତାରିଖରୁ  ନିଖୋଜ ଥିଲେ। ଗତକାଲି ତାଙ୍କ ଝୁଲନ୍ତା ମୃତଦେହ ଆଠଗଡ଼ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ମିଳିଥିଲା। ମୃତଦେହଟି ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ଥାନା ପୁଲିସ ସ୍ପଷ୍ଟ କରିଥିଲା। ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍‌ ସୁବାଷି ରିଜର୍ଭ ଫରେଷ୍ଟ ନିକଟରୁ ମିଳିଥିଲା। ଖୋଜାଖୋଜି କରିବା ପରେ ସ୍କୁଟି ଓ ହେଲମେଟ୍‌ ମିଳିଥିବା ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଦୂରରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଗଛରେ ଏକ ଓଢ଼ଣୀରେ ତାଙ୍କ ମୃତଦେହ ଝୁଲି ରହିଥିଲା।