ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଛନ୍ତି । ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ପୁଡ଼ୁଚେରୀରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ  ୨୫ ଜଣିଆ ସମ୍ଭାବ୍ୟ ସ୍କ୍ୱାଡ ଘୋଷଣା କରାଯାଇଥିଲା। ରାଜଶ୍ରୀ ଏଥିରେ ସ୍ଥାନ ପାଇଥିଲେ। ଏଥିସହ ସେ ସ୍କ୍ୱାଡର ଅନ୍ୟ ଖେଳାଳିଙ୍କ ସହ  କଟକ ବଜ୍ରବାଟିରେ ଥିବା ଏକ ହୋଟେଲରେ ରହି ନିୟମିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ।
ଏହିକ୍ରମରେ ସେ ୧୧ ତାରିଖ ଦିନ ମଧ୍ୟ ହୋଟେଲରୁ ପ୍ରଶିକ୍ଷଣ ଶିବିରକୁ ବାହାରିଥିଲେ। କିନ୍ତୁ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ନଥିଲେ। ଏହାକୁ ନେଇ କୋଚ୍‌ ଚିନ୍ତିତ ହେବା ସହ ତାଙ୍କୁ ଫୋନ୍‌ କରିଥିଲେ। ତେବେ ତାଙ୍କ ଫୋନ୍‌ ଲାଗି ନଥିଲା। ଏନେଇ ରାଜଶ୍ରୀଙ୍କୁ ବହୁତ ଖୋଜଖୋଜି କରାଯାଇଥିଲା। ତଥାପି ତାଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷରେ କୌଣସି ଉପାୟ ନପାଇ ତାଙ୍କ କୋଚ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।।ରାଜଶ୍ରୀଙ୍କ କୋଚ୍ ଏତଲାରେ ଦର୍ଶାଇଛନ୍ତି ଯେ “ପୁଡୁଚେରୀ ଦିନିକିଆ ପାଇଁ ଘୋଷଣା ହୋଇଥିବା ୨୫ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଚୂଡ଼ାନ୍ତ ତାଲିକାରେ ରାଜଶ୍ରୀଙ୍କ ନାଁ ନଥିଲା। ଏଥିପାଇଁ  ସେ ମାନସିକ ଚାପରେ ଥିଲେ।”