ବାରବାଟୀରେ ହକି ବିଶ୍ବକପ୍‌ର ଝଲକ

କଟକ: ‌ଐତିହାସିକ ବାରବାଟୀ ଷ୍ଟାଡିୟମରେ  ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ହକି ବିଶ୍ବକପ୍‌କୁ ଉଦ୍‌ଘାଟନ କରି  କହିଛନ୍ତି, ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ କରୁଛି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାର ସବୁ ପ୍ରକାରର ସମର୍ଥନ ଯୋଗାଇଥିବାରୁ ଧନ୍ୟବାଦ ଜଣାଉଛି। ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ହକି (ଏଫ୍‌ଆଇଏଚ୍‌) ସଭାପତି ତୟା ବିକ୍ରମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହିଛନ୍ତି।   ପ୍ରଥମେ ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଶଣ କରାଯାଇଥିଲା। ପରେ କଣ୍ଠଶିଳ୍ପୀ ସ୍ନିତି ମିଶ୍ରଙ୍କ ସଂଗୀତ  ଓ  ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ନୃତ୍ୟ ମନଛୁଆଁ ହୋଇଥିଲା । ଏହାପରେ ମଞ୍ଚକୁ ଅକ୍ତିଆର କରିଥିଲେ ବଲିଊଡ୍ ଗାୟକ ଋତୁରାଜ ମହାନ୍ତି। ତାଙ୍କର ଗୀତରେ ଝୁମିବା ପରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଓଲିଉଡ୍ ଷ୍ଟାର କପୁଲ୍ ସବ୍ୟସାଚୀ ଓ ଅର୍ଚ୍ଚିତା।