ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍

ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ଗୌହାଟୀରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଟି-୨୦ ସିରିଜ୍ ଜିତିବା ପରେ ଦିନିକିଆ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ପ୍ରଥମ ମ୍ୟାଚ୍‌କୁ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ‌ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ, ଶ୍ରେୟସ ଆୟର ଫେରିଛନ୍ତି ।
ହେଲେ ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ସୁସ୍ଥ ହୋଇନଥିବାରୁ ପୁଣି ଦଳରୁ ବାଦ୍‌ ପଡ଼ିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ସହ ୫ ବରିଷ୍ଠ ଖେଳାଳି ଫେରିବା ଭାରତୀୟ ଦଳକୁ ଅତିରିକ୍ତ ବଳ ଯୋଗାଇଛି । ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ବିଶ୍ବକପ୍‌ ଖେଳାଯିବ । ଏହି ବିଶ୍ବକପ୍‌ ବର୍ଷର ଆଗାମୀ ୧୦ ମାସ ମଧ୍ୟରେ ଭାରତ ୧୫ ଦିନିକିଆ ‌ମ୍ୟାଚ୍‌ ସହ ଏସିଆ କପ୍‌ ଖେଳିବ । ଶ୍ରୀଲଙ୍କା ବିପକ୍ଷରୁ ଭାରତର ଏହା ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ଅଭିଯାନ ।ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଶୀର୍ଷ ୫ ବ୍ୟାଟର୍‌ଙ୍କୁ ବାଛିବାରେ ଦଳ ବଡ଼ ସମସ୍ୟାରେ ପଡ଼ିବ। ଓପନର୍‌ ରୋହିତ ଏବଂ ନମ୍ବର ୩ କୋହଲି ଖେଳିବା ନିଶ୍ଚିତ ଥିଲା ବେଳେ ଫର୍ମକୁ ଦେଖି ଈଶାନ କିଶନ ଏବଂ ଆୟରଙ୍କୁ ବାଦ୍‌ ଦେବା କଷ୍ଟକର ହେବ । ଈଶାନ ବାଂଲାଦେଶ ବିପକ୍ଷରେ କ୍ୟାରିୟର ଶ୍ରେଷ୍ଠ ୨୧୦ ରନ୍‌ କରିଥିଲେ । ରୋହିତଙ୍କ ସହ ଓପନିଂ ପାଇଁ ଏହି ଯୁବ ତାରକାଙ୍କ ଲଢ଼େଇ ଶୁବମନ ଗିଲ୍‌ଙ୍କ ସହ ହେବ । ଆୟର ଗତ ବର୍ଷ ୧୫ ପାଳି ଖେଳି ୫୫.୬୯ ହାରାହାରିରେ ୭୨୪ ରନ୍‌ କରିଥିଲେ । ତାଙ୍କ ନିକଟରେ ଉପମହାଦେଶୀୟ ପିଚ୍‌ରେ ଷ୍ଟ୍ରାଇକ୍‌ ରୋଟେଟ୍‌ ଏବଂ ମିଡିଲ ଓଭର୍‌ରେ ସ୍ପିନ୍‌କୁ ଭଲ ଖେଳିବା କଳା ରହିଛି । ‌ତେଣୁ ସେ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାବେ ଗଣାଯାଉଛନ୍ତି ।