ଶ୍ରୀଲଙ୍କା ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଜର୍ସିରେ ପରିବର୍ତ୍ତନ

ମୁମ୍ବାଇ : ଭାରତ ଶ୍ରୀଲଙ୍କା ଟି୨୦ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆର ଜର୍ସି । ସିରିଜ ଖେଳାଯିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ପରିବର୍ତ୍ତନ କରାଯାଇଥିବା ନେଇ ଟିମର ଲେଗସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଏକ ପୋଷ୍ଟରୁ ଦେଖିବାକୁ ମିଳିଛି । ଜାନୁଆରୀ ୩ ମଙ୍ଗଳବାରରୁ ହିଁ ଏହି ସିରିଜ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଦୁଇ ଟିମ ପ୍ରଥମ ଟି୨୦ ମ୍ୟାଚରେ ମୁହାଁମୁହିଁ ହେବେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ତେବେ ମ୍ୟାଚ ପୂର୍ବରୁ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର ସୋସିଆଲ ମିଡିଆ ସାଇଟରେ ଏକ ଫୋଟ ସେୟାର କରିଛନ୍ତି । ତାଙ୍କର ଏହି ଫଟୋରେ ଟିମ ଇଣ୍ଡିଆର ଜର୍ସିରେ କିଛି ପରିବର୍ତ୍ତନ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।
୩ ମ୍ୟାଚ ବିଶିଷ୍ଟ ଏହି ଟି୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଖେଳାଳୀଙ୍କର ଏକ ଫଟୋସୁଟ କରାଯାଇଛି । ସୁଟ ପରେ ୟୁଜବେନ୍ଦ୍ର ଚହଲ ନିଜ ସୋସିଆଲ ମିଡିଆ ସାଇଟରେ ଏହି ଫଟୋକୁ ସେୟାର କରିଛନ୍ତି । ଫଟୋରେ ଶ୍ରୀଲଙ୍କାକୁ ମାତ ଦେବା ପାଇଁ ପ୍ରସ୍ତୁତ ଥିବା ବୋଲିଙ୍ଗ ୟୁନିଟଙ୍କୁ ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଅଛନ୍ତି,ୟୁଜବେନ୍ଦ୍ର ଚହଲ,ଉମରାନ ମଲ୍ଲିକ, ଅର୍ଶଦୀପ ସିଂ, ମୁକେଶ କୁମାର ଏବଂ ସାଥୀରେ ଅଛନ୍ତି ଋତୁରାଜ ଗାୟକୱାଡ ।