ଲାଲୁ ଯାଦବଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କଲା ସିବିଆଇ
ନୂଆଦିଲ୍ଲୀ: ରେଳବାଇ ପ୍ରକଳ୍ପ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ପରିବାରର ସଦସ୍ୟମାନଙ୍କ ବିରୋଧରେ ‘ସିବିଆଇ’ ପୁଣି ତଦନ୍ତ ଆରମ୍ଭ କରିଛି।ବିହାରରେ ସରକାର ଗଠନ କରିବା ଲାଗି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ଦଳ ‘ଆର୍ଜେଡି’ ନୀତୀଶ କୁମାରଙ୍କ ‘ଜନତା ଦଳ ୟୁନାଇଟେଡ୍’ (ଜେଡିୟୁ) ସହିତ ମେଣ୍ଟ କରିବାର ମାତ୍ର କିଛି ମାସ ପରେ ‘ସିବିଆଇ’ ପୁନଃତଦନ୍ତ ଆରମ୍ଭ କରିବାରୁ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିହିତ କରାଯାଉଛି।
‘ଉପା-୧’ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ରେଳବାଇ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଉଠିଥିବା ବେଳେ ଏହି ଦୁର୍ନୀତି ମାମଲାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଥିଲା।କିନ୍ତୁ, ଏହି ଅଭିଯୋଗ ଉପରେ କୌଣସି ମାମଲା କରାଯାଇ ନ ଥିବା କଥା ‘ସିବିଆଇ’ କହିଥିବା ଦର୍ଶାଇ ୨୦୨୧ ମେ’ରେ ତଦନ୍ତ ବନ୍ଦ କରି ଦିଆଯାଇଥିଲା। ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ, କନ୍ୟା ଚନ୍ଦା ଓ ରାଗିଣୀ ମଧ୍ୟ ଏହି ମାମଲାର ଅଭିଯୁକ୍ତ ଅଟନ୍ତି।