ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’

ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ଦଳ ପାଇଁ ସମ୍ମାନର ଲଢ଼େଇ ଭାବେ ଉଭା ହୋଇଛି। ଏଥିପାଇଁ ବିଜେପି ପୂରା ଦମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି।ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି। ଗୁରୁବାର ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ଅଧିକରୁ ଅଧିକ ସିଟ୍ ହାତେଇବା ପାଇଁ ପ୍ରୟାସ କରୁଛି ବିଜେପି।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭାରତୀୟ ରାଜନେତା ହିସାବରେ ସବୁଠାରୁ ଲମ୍ବା ରୋଡ ଶୋ’ କରି ଭୋଟରଙ୍କୁ ବିଜେପି ଆଡ଼କୁ ଟାଣିବାକୁ ଉଦ୍ୟମ କରିଛନ୍ତି। ଗୁରୁବାର ଗୁଜରାଟରେ ପ୍ରଧାନମନ୍ତ୍ରୀ ୫୦ କିମିର ରୋଡ ଶୋ’ କରିଛନ୍ତି। ସନ୍ଧ୍ୟା ସମୟରେ ଆରମ୍ଭ ହୋଇଥିବା ଏହି ଲମ୍ବା ତଥା ବିଶାଳ ରୋଡ ଶୋ’ ଏବେ ଚର୍ଚ୍ଚାରେ ରହିଛି।୨୦୦୨ ଗୁଜରାଟ ଦଙ୍ଗାର ଅନ୍ୟତମ ପ୍ରମୁଖ ସ୍ଥଳ ଥିବା ନରୋଦା ଗାମରୁ ହିଁ ମୋଦିଙ୍କ ରୋଡ ଶୋ’ ଆରମ୍ଭ ହୋଇଥିଲା। ଏହା ଦକ୍ଷିଣ ଗାନ୍ଧିନଗରରେ ଶେଷ ହୋଇଛି। ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଯେଉଁ ସବୁ ଅଞ୍ଚଳ ଦେଇ ମୋଦି ଯାଇଛନ୍ତି, ସେଠାରେ ମୋଟ ୧୬ଟି ଆସନ ରହିଛି। ଏହି ୧୬ଟି ଆସନ ପାଇଁ ମୋଦି ଗୋଟିଏ ଥରରେ ରୋଡ ଶୋ’ କରି ଲୋକଙ୍କ ମନ ଜିତିବାକୁ ଉଦ୍ୟମ କରିଛନ୍ତି।