ଲିଭରପୁଲ୍‌ ଏଫ୍‌ସି କିଣିବେ ମୁକେଶ ଅମ୍ବାନୀ

ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଇଂଲିଶ୍‌ ପ୍ରିମିୟର ଲିଗ୍‌ ଦଳ ଲିଭରପୁଲ୍‌ ଏଫ୍‌ସିକୁ କିଣିବାକୁ ମନ ବଳାଇଛନ୍ତି । ସେ ଇତିମଧ୍ୟରେ ଲିଭରପୁଲ୍‌ ଏଫ୍‌ସି କ୍ଲବ୍‌ ବିଷୟରେ ପଚରାଉଚୁରା କରିବା ସହ ଏହାକୁ କିଣିବା ନେଇ ଯୋଜନା କରୁଥିବା ଇଂଲଣ୍ଡର ଦୈନିକ ଖବରକାଗଜ ‘ଦ ମିରର’ରେ ପ୍ରକାଶ ପାଇଛି । ପୂର୍ବରୁ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀ ଆଇପିଏଲ୍‌ର ଏକ ଫ୍ରାଞ୍ଜାଇଜ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ କିଣିଥିବାବେଳେ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସର୍ବଭାରତୀୟ ଫୁଟବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ବାଣିଜ୍ୟିକ ଭାଗିଦାରୀ ରହିଛି ।ଲିଭରପୁଲ୍‌ ଏଫ୍‌ସିର ମାଲିକ ଫେନ୍‌ୱେ ସ୍ପୋର୍ଟ୍ସ ଗ୍ରୁପ୍‌ (ଏଫ୍‌ଏସ୍‌ଜି) କ୍ଲବ୍‌କୁ ବିକ୍ରି କରିବାକୁ ଚାହୁଁଛନ୍ତି । ଫଳରେ ଏଫ୍‌ଏସ୍‌ଜି ପକ୍ଷରୁ ନିକଟରେ ଗୋଲ୍ଡେନ ସାଚ୍‌ସ ଏବଂ ମୋର୍ଗାନ ଷ୍ଟାନ୍‌ଲୀଙ୍କୁ କ୍ଲବ୍‌ ବିକ୍ରି କରିବାରେ ସହାୟତା କରିବାକୁ ନିଯୁକ୍ତ କରିଛନ୍ତି । ୨୦୧୦ରେ ଏଫ୍‌ଏସ୍‌ଜି କମ୍ପାନୀ ମର୍ସିସାଇଡ୍‌ କ୍ଲବ୍‌ ଲିଭରପୁଲ୍‌କୁ କିଣିଥିଲା ।

ଲିଭରପୁଲ୍‌ ଏଫ୍‌ସି ମାଲିକ ଦଳ ବିକ୍ରି କରିବାକୁ ଚାହୁଁଥିବା ଜାଣିବା ପରେ ଭାରତର ଦ୍ୱିତୀୟ ସବୁଠୁ ଧନୀ ବ୍ୟବସାୟୀ ଶ୍ରୀ ଅମ୍ବାନୀ କ୍ଲବ୍‌ ସମ୍ପର୍କରେ ତଦାରଖ କରିଛନ୍ତି । ଏପରିକି ସେ ଦଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ‘ଦ ମିରର’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଫ୍‌ଏସ୍‌ଜି କମ୍ପାନୀ ୪ ବିଲିୟନ୍‌ ଡଲାର ପାଉଣ୍ଡରେ ଲିଭରପୁଲ୍‌ କ୍ଲବ୍‌କୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ଇତିମଧ୍ୟରେ ବିଭିନ୍ନ କମ୍ପାନୀ ଦଳ କିଣିବାକୁ ଆଗ୍ରହ ଦେଖାଇଛନ୍ତି । ସେଥିମଧ୍ୟରେ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ସାମିଲ୍‌ ରହିଛନ୍ତି । ସେ ଦଳ କିଣିବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ତାଙ୍କ ବ୍ୟତୀତ ଗଲ୍ଫ ଏବଂ ଆମେରିକାର କିଛି କମ୍ପାନୀ ମଧ୍ୟ ଦଳ କିଣିବା ପାଇଁ ଆଲୋଚନା କରିଛନ୍ତି ।’