ଦୁର୍ଘଟଣାସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଗୁଜୁରାଟରେ ମୋରବୀରେ ଝୁଲାପୋଲ ଦୁର୍ଘଟଣାକୁ ୨୪ଘଣ୍ଟା ନପୁରୁଣୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗୁଜୁରାଟ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଟିକେଟ୍ ବିକ୍ରେତା, ସୁରକ୍ଷାକର୍ମୀ ଏବଂ ମରାମତି ଓ ନବୀକରଣ କାର୍ଯ୍ୟ କରୁଥିବା ଓରେଭା ଗ୍ରୁପର ଅଧିକାରୀମାନେ ଅଛନ୍ତି । ଓରେଭା କମ୍ପାନୀ ସୁରକ୍ଷା ସମ୍ପର୍କିତ ଏକାଧିକ ନିୟମକୁ ଉଲ୍ଲଙ୍ଘନ କରିଛି । ଏହା ସହ ବିପର୍ଯ୍ୟୟ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି ।
ଏମାନଙ୍କ ମଧ୍ୟରେ ୪୭ ଜଣ ଶିଶୁ ଅଛନ୍ତି । ଏବେ ବି ୧୦୦ ଜଣ ନିଖୋଜ ଥିବା କୁହାଯାଉଛି । ଏମାନେ ନଦୀର ପଙ୍କ ଭିତରେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଘଟଣାକୁ ନେଇ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଘଟଣାସ୍ଥଳକୁ ଯିବେ । ଏହା ସହ ହସ୍ପିଟାଲ ଯାଇ ଆହତଙ୍କୁ ମଧ୍ୟ ମୋଦୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ସେହିପରି ଘଟଣା ପାଇଁ ଆସନ୍ତାକାଲି ଗୁଜରାଟରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ।