ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା

ଅକ୍ଟୋବରରେ ବଙ୍ଗୋପସାଗରେ ଲାଗ ଲାଗ ଘୂର୍ଣ୍ଣିବଳୟ ହୋଇଥିଲା । ଏବେ ନଭେମ୍ବରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବାକୁ ଯାଉଛି । ୭ ସୁଦ୍ଧା ଏହା ଲଘୁଚାପ ରୂପ ନେଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।ଡ. ପଶୁପାଳକଙ୍କ ଆକଳନ କହୁଛି, ୪ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ସେହି ସ୍ଥାନରେ ୨ରୁ ୩ ଦିନ ଯାଏ ରହିପାରେ । ବିଷୁବ ରେଖାର ପାଖରେ ଥିବା ଯୋଗୁ ଏହା ଘନୀଭୂତ ହେବାରେ ବିଳମ୍ବ ହେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୭ତାରିଖ ସୁଦ୍ଧା ଲଘୁଚାପ ରୂପ ନେଇପାରେ । ଏହା ପୁଣି ଘନୀଭୂତ ହୋଇ ଦେଶର ପୂର୍ବ ଉପକୂଳକୁ ପ୍ରଭାବିତ କରିପାରେ ବୋଲି କେତେକ ମଡେଲ ଆକଳନ କରୁଛନ୍ତି । କିନ୍ତୁ ଏହା କେତେ ଘନୀଭୂତ ହେବ ଓ ଏହାର ଗତି କୁଆଡେ ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମା ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ଅକ୍ଟୋବର ୩୧ରୁ ନଭେମ୍ବର ୨ ଯାଏ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ ମେଘୁଆ ରହିବ । ଦକ୍ଷିଣ ଆଭ୍ୟନ୍ତରରେ ୧ ଓ ୨ରେ ଏବଂ ଉପକୂଳରେ ୨ ଓ ୩ରେ ପାଗ ମେଘୁଆ ରହିପାରେ । ତେବେ ୧ରୁ ୪ ତାରିଖ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିବେଳାର ତାପମାତ୍ରା ୩ରୁ ୪ଡିଗ୍ରୀ ଯାଏ ବଢିବ । ୪ରୁ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ । ଏଣୁ କାର୍ତ୍ତିକ ପୂର୍ଣ୍ଣିମାରେ ବିଶେଷ ଶୀତ ହେବନି ବୋଲି ସେ କହିଛନ୍ତି ।