ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବମୂର୍ତ୍ତି ଆଜି ଉନ୍ମୋଚନ ହେବ
ବିଶ୍ୱର ସର୍ବୋଚ୍ଚ ଶିବମୂର୍ତ୍ତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ୱାରାରେ ନିର୍ମାଣ ହୋଇଛି। ଆଜି ଅପରାହ୍ନ 4ଟାରେ ଭଗବାନ ଶିବଙ୍କ ଏହି ମୂର୍ତ୍ତି ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।
ଉକ୍ତ ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ ଥିବାବେଳେ ଏହାର ନାମ ଷ୍ଟାଚ୍ୟୁ ଅଫ ବିଲିଫ୍ ବା ବିଶ୍ୱାସ ସ୍ବରୂପମ୍ ଦିଆଯାଇଛି। ଉକ୍ତ ମୂର୍ତ୍ତି ନିର୍ମାଣ ପାଇଁ ୧୦ ବର୍ଷ ସମୟ ଲାଗିଛି। ସନ୍ଥ କୃପା ସନାତନ ସଂସ୍ଥାନ ଦ୍ୱାରା ଏହାର ନିର୍ମାଣ କରାଯାଇଛି। ନାଥଦ୍ୱାରାର ଗଣେଶ ଟେକରୀରେ ନିର୍ମାଣ ହୋଇଥିବା ଏହି ପ୍ରତିମାରେ ୩୦୦୦ ଟନ ଇସ୍ପାତ ଓ ଲୁହା, ୨.୫ ଲକ୍ଷ ଘନ ଫୁଟ୍ର କଂକ୍ରିଟ ଓ ବାଲି ବ୍ୟବହାର ହୋଇଛି। ୨୫୦ କିମି ବେଗରେ ପବନ ବହିଲେ ମଧ୍ୟ ମୂର୍ତ୍ତି ସୁରକ୍ଷିତ ରହିବ। ଷ୍ଟାଚ୍ୟୁ ଅଫ୍ ବିଲିଫର ପରିକଳ୍ପନା ମିରାଜଗ୍ରୁପ, ଉଦୟପୁରର ଅଧ୍ୟକ୍ଷ ମଦନ ପାଲିୱାଲ କରିଥିଲେ। ଶିବ ଭକ୍ତଙ୍କ ପାଇଁ ଏହା ଏକ ପର୍ଯ୍ୟଟନ କ୍ଷେତ୍ର ପାଲଟିଥିବା କୁହାଯାଉଛି ।