ମିଆଁମାର ସେନାର ଏୟାରଷ୍ଟ୍ରାଇକ
ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାର ଷ୍ଟ୍ରାଇକ୍। ଆକ୍ରମଣରେ ଗାୟକ ଏବଂ ସଙ୍ଗୀତଜ୍ଞଙ୍କ ସହିତ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। କାଚିନ ଜାତୀୟ ସଂଖ୍ୟାଲଘୁ ସମୁଦାୟର ବର୍ଷପୂର୍ତ୍ତି ସମାରୋହରେ ସମସ୍ତେ ସାମିଲ୍ ହୋଇଥିଲେ। ସମାରୋହ ସ୍ଥଳରେ ସେନାର ଏୟାରଷ୍ଟ୍ରାଇକରେ ୪ ବୋମା ନିକ୍ଷେପ କରାଯାଇଥିଲା।
ଏହି ଆକ୍ରମଣ ସେହି ସମୟରେ ହୋଇଛି ଯେବେ ତିନି ଦିନ ପରେ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଇଣ୍ଡୋନେସିଆରେ ହେବାକୁ ଯାଉଛି। ଆଉ ଏହି ବୈଠକ ମିଆଁମାରରେ ବ୍ୟାପକ ହିଂସା ଉପରେ ଆଲୋଚନା ପାଇଁ ଡକାଯାଇଛି। ଗତ ବର୍ଷ ଫେବୃଆରୀରେ ସରକାରଙ୍କ ପତନ ପରେ ରବିବାର ସବୁଠୁ ବଡ ଆକ୍ରମଣରେ ଅଧିକ ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଛି।
ଘଟଣାରେ କାଚିନ ପ୍ରତି ସହାନୁଭୂତି ରଖୁଥିବା ଗଣମାଧ୍ୟମ ପକ୍ଷରୁ ଭୟାନକ ଦୃଶ୍ୟର ଭିଡିଓ ପ୍ରସାରଣ କରାଯାଇଛି। କିନ୍ତୁ ସୈନ୍ୟ ସରକାରଙ୍କ ସୂଚନା ଅନୁଯାୟୀ, କାଚିନ ଇଣ୍ଡିପେଣ୍ଡେନ୍ସ ଆର୍ମିର ୯ମ ବ୍ରିଗେଡର ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ପ୍ରତିଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେନା ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଖବରକୁ ଗୁଜବ ବୋଲି କହିଛି। ସଙ୍ଗୀତ କାର୍ଯ୍ୟକ୍ରମ ଉପରେ ବୋମାମାଡ ଏବଂ ପ୍ରାଣ ହରାଇଥିବା ଶ୍ରୋତାଙ୍କ ଖବରକୁ ସେନା କାର୍ଯ୍ୟାଳୟ ଅସ୍ଵୀକାର କରିଛି।