ଆଜି ଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା
ସରିଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ । ଆଜି ଠାରୁ ସୁପର-୧୨ ମୁକାବିଲା । ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।ବର୍ଷା ଆଶଙ୍କା ମଧ୍ୟରେ ଥିବା ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆର ପଲା ଭାରି ରହିଛି । ଗତବର୍ଷ ଦୁବାଇରେ ଆୟୋଜିତ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ଏବେ ପ୍ରାୟ ଗୋଟିଏ ବର୍ଷରୁ କମ୍ ସମୟ ପରେ ପୁଣି ଥରେ ଉଭୟ ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚ୍ ପାଇଁ ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡରେ ଭରପୁର ଦର୍ଶକଙ୍କୁ ଦେଖିବାକୁ ମିଳିବ । ହେଲେ ସେମାନଙ୍କ ଖୁସୀରେ ଲି ନିନା ପାଣି ଢାଳି ଦେଇପାରେ ।ଏହି ମୁକାବିଲା ପୂର୍ବରୁ ବ୍ରିସ୍ବେନ୍ରେ ନ୍ୟୁଜିଲାଣ୍ଡ୍ର ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍କୁ ମଧ୍ୟ ବର୍ଷା ଧୋଇ ନେଇଥିଲା । ପୁଣି ଆହତ ସମସ୍ୟା ନ୍ୟୁଜିଲାଣ୍ଡ୍ ଦଳ ପାଇଁ ଅଡୁଆ ସୃଷ୍ଟି କରିଛି । ୨୦୨୧ ବିଶ୍ବକପ୍ର ନାୟକ ଡାରିଲ ମିଚେଲ ଆହତ ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିଥିଲା ବେଳେ ଦ୍ରୁତ ବୋଲର ଲୋକି ଫର୍ଗୁସନ ଓ ଆଦାମ ମିଲ୍ନେ ଅହତ ତାଲିକାରେ ଯୋଡ଼ି ହୋଇଛନ୍ତି । ତଥାପି ସେମାନଙ୍କ ଖେଳିବା ନେଇ ଅଧିନାୟକ କେନ୍ ୱିଲିୟମ୍ସନ୍ ଆଶାବାଦୀ ରହିଛନ୍ତି । ୱିଲିୟମ୍ସନ୍ ନିଜେ ମଧ୍ୟ ଗତବର୍ଷ ବିଶ୍ବକପ୍ ଫାଇନାଲ୍ ପରଠୁ ପ୍ରଭାବୀ ହୋଇପାରିନାହାନ୍ତି । ସେ ଏମଧ୍ୟରେ ୨୦ ଟ୍ବେଣ୍ଟି-୨୦ ପାଳିରୁ ମାତ୍ର ୪୨୦ ରନ୍ କରିପାରିଛନ୍ତି ।