ଭୋକରେ ଭାରତୀୟ
ଭୋକରେ ଭାରତୀୟ । ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ । ପୂର୍ବ ତୁଳନାରେ ଭାରତ ୬ଟି ସ୍ଥାନକୁ ଖସିଛି । ଏବେ ଭାରତର ସ୍ଥାନ ୧୦୭ ରହିଛି । ଭାରତର ସ୍କୋର ୨୯.୧ ରହିଛି । ତେଣୁ ଭାରତକୁ ଗମ୍ଭୀର ଶ୍ରେଣୀରେ ରଖାଯାଇଛି । ତେବେ ଆମଠୁ ଭଲ ସ୍ଥିତିରେ ରହିଛନ୍ତି ଦକ୍ଷିଣ ଏସିଆର ଅନ୍ୟତମ ଦେଶ । ପଡୋଶୀ ପାକିସ୍ତାନ ୯୯, ଶ୍ରୀଲଙ୍କା ୬୪, ବାଂଲାଦେଶ ୮୪, ନେପାଳ ୮୧ ଏବଂ ମିଆଁମାର ୭୧ ତମ ସ୍ଥାନରେ ରହିଛନ୍ତି । ୨୦୨୧ରେ ୧୦୧ ସ୍ଥାନରେ ରହିଥିଲା ଭାରତ ।ଏହା ପୂର୍ବରୁ ୨୦୨୦ରେ ଭାରତର ସ୍ଥାନ ୯୪ ଥିଲା । ଅର୍ଥାତ୍ ୨୦୨୦ ପରଠାରୁ ଭାରତର ସ୍ଥାନ ତଳକୁ ତଳ ଖସି ଚାଲିଛି । ଭାରତର ସ୍ଥାନ ତଳକୁ ଖସିବା ପରେ ଏହାକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ । ମୋଦୀ ସରକାରର ୮ ବର୍ଷରେ ଭାରତର ସ୍ଥିତି ଖରାପ ହୋଇଛି ବୋଲି ସେ କହିଛନ୍ତି । ‘ୟୁନିସେଫ୍’, ‘ବିଶ୍ୱ ବ୍ୟାଙ୍କ୍’, ‘ଖାଦ୍ୟ ଓ କୃଷି ସଙ୍ଗଠନ’ ସମେତ ଜାତିସଂଘ ଓ ଅନ୍ୟାନ୍ୟ ବହୁଦେଶୀୟ ସଙ୍ଗଠନରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।