କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ମୁହଁ ବନ୍ଦ କଲା ଭାରତ

ନ୍ୟୁୟର୍କ: ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ପୁଣି ଏକ ଚାଲକୁ ମୁହଁତୋଡା ଜବାବ ଦେଇଛି ଭାରତ । ଋଷ-ୟୁକ୍ରେନ ଯୁଦ୍ଧ ବିତର୍କ ବେଳେ କାଶ୍ମୀର ପ୍ରସଙ୍ଗ ଉପରେ କହିଥିଲା ପାକିସ୍ତାନ । ସମାନ ପ୍ରସଙ୍ଗ ଜମ୍ମୁକାଶ୍ମୀରରେ ହେଉଛି ବୋଲି ପାକିସ୍ତା କହିବା ପରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପାକିସ୍ତାନର ମୁହଁ ବନ୍ଦ କରିଦେଇଛି ଭାରତ । ବୈଠକରେ ପାକିସ୍ତାନ ପ୍ରଥମେ କା‌ଶ୍ମୀର ପ୍ରସଙ୍ଗ ଉଠାଇବାରୁ ଦୃଢ ସମାଲୋଚନା କରିଛନ୍ତି ଭାରତର ସଦସ୍ୟ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି UNGAରେ ଋଷ ପ୍ରସଙ୍ଗରେ ଆଲୋଚନା ହେଉଥିବା ବେଳେ ପାକିସ୍ତାନ କିନ୍ତୁ ଜାଣିଶୁଣି ନିରର୍ଥକ ଭାବେ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା । ବୈଠକରେ ପାକିସ୍ତାନୀ କୂଟନୀତିଜ୍ଞ ମୁନିର୍‌ ଆକ୍ରମ ପ୍ରଥମେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । କହିଥିଲେ, ଋଷ ଏବେ ୟୁକ୍ରେନ୍‌ ସହ ଯେଉଁଭଳି ବ୍ୟବହାର କରୁଛି ଭାରତ ମଧ୍ୟ ସମାନ ଢଙ୍ଗରେ ତାହା କରିବାକୁ ଚାହୁଁଛି । ଦୁଇଟି ମାମଲାକୁ ସମାନ ଦର୍ଶାଇବାକୁ ଚେଷ୍ଟା କରିଥିଲେ ପାକିସ୍ତାନୀ କୂଟନୀତିଜ୍ଞ ମୁନିର୍‌ ଆକ୍ରମ ।

ତେବେ ଭାରତୀୟ କୂଟନୀତିଜ୍ଞ ତଥା ଭାରତ ପକ୍ଷରୁ ୟୁଏନ୍‌ର ସ୍ଥାୟୀ ସଦସ୍ୟ ରୁଚିରା କମ୍ବୋଜ ତତ୍‌କ୍ଷଣାତ ଏହି ପ୍ରସଙ୍ଗରେ କଡା ଜବାବ ରଖିଥିଲେ । ସେ କହିଥିଲେ, ‘ବୈଠକରେ ଗୋଟିଏ ପ୍ରସଙ୍ଗରେ ଆଲୋଚନା ଚାଲିଛି କିନ୍ତୁ ଏଠାରେ ଅନ୍ୟ ଏକ ପ୍ରସଙ୍ଗ ଜାଣିଶୁଣି ଉଠାଯାଉଛି । ଜାତିସଂଘର ଏହି ଫୋରୋମ୍‌କୁ ଅପବ୍ୟବହାର କରାଯାଉଛି । ଏହା ସହିତ ଭାରତ ବାବଦରେ ସମ୍ପୂର୍ଣ୍ଣ ଭାବେ ଭିତ୍ତିହିନ ଏବଂ କପୋଳକଳ୍ପିତ ମନ୍ତବ୍ୟ ଦିଆଯାଉଛି’। ପାକିସ୍ତାନ ଏପରି ନକରିବା ଉଚିତ । ମିଳିତ ଜାତିସଂଘକୁ ବ୍ୟବହାର କରିବାକୁ ନେଇ ପାକିସ୍ତାନ ଉଚିତ ଜବାବ ପାଇଛି ।