ଆଜି ଜାତୀୟ ଦଳ ଘୋଷଣା କରିବେ କେସିଆର
୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଲେଣି | ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ନିଜକୁ ଜାତୀୟ ନେତା ଭାବେ ପରିଚିତ କରାଇବା ପାଇଁ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ବୁଧବାର ଦଶହରାରେ ଏକ ଜାତୀୟ ଦଳ ଘୋଷଣା କରିବେ ବୋଲି ତାଙ୍କ ଦଳ ପକ୍ଷରୁ କୁହାଯାଇଛି। ଅପରାହ୍ନ ୧.୧୯ରେ ସେ ନିଜ ଜାତୀୟ ଦଳ ଘୋଷଣା କରିବେ, ଯାହାର ନାମ ରହିବ ଭାରତ ରାଷ୍ଟ୍ର ସମିତି। ଏହି ଦଳ ବିଜେପି ସହିତ ଲଢ଼େଇ କରିବା ଯୋଜନା ରଖିଛି।ବିଭିନ୍ନ ପ୍ଲାଟଫର୍ମରେ ଜାତୀୟ ଦଳ ଗଠନ କରିବା ସହ ଏହାର ଆଭିମୁଖ୍ୟ ପ୍ରସ୍ତୁତ କରାଯିବ। ଏହା ଜଣାପଡିବା ପରେ ପ୍ରତିକ୍ରିୟା ପ୍ରକାଶ କରି ତେଲେଙ୍ଗାନା ବିଜେପି ମୁଖପାତ୍ର ଏନ.ଭି.ସୁଭାଷ କହିଛନ୍ତି ଯେ, କେସିଆର ନିଜ ସରକାରର ବିଫଳତାକୁ ଲୁଚାଇବା ପାଇଁ ଏଭଳି ପ୍ରୟାସ କରିଛନ୍ତି। ଆସନ୍ତା ମାସ ୪ ତାରିଖରେ ମୁନୁଗୋଡ ଉପନିର୍ବାଚନ ହେବାକୁ ଥିବାବେଳେ ସେ ଘୋଷଣା କରିବାକୁ ଥିବା ଜାତୀୟ ଦଳ ଜରିଆରେ ଉକ୍ତ ନିର୍ବାଚନ ଲଢ଼ିବାକୁ କେସିଆର ଲକ୍ଷ୍ୟରଖିଛନ୍ତି। ଏଥି ସହିତ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀରେ ନୂତନ ପାର୍ଟି ଜରିଆରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଛନ୍ତି। ଖୁବଶୀଘ୍ର କେସିଆର ନିଜ ସରକାରର କଲ୍ୟାଣକାରୀ ଯୋଜନା ତଥା ତାଙ୍କ ୮ ବର୍ଷର ଶାସନକାଳର ସଫଳତାକୁ ନେଇ ରାଜନୈତିକ ପତିଆରା ବୃଦ୍ଧି ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ବୁଲିବା କାର୍ଯ୍ୟକ୍ରମ ରହିଛି।