ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗସ୍ତ ସମୟରେ ସେ ବିଜେପିର ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ସମେତ ୭ଟି ମୋର୍ଚ୍ଚାର ନେତାମାନଙ୍କୁ ଦେବେ ଗୁରୁମନ୍ତ୍ର । ୨୦୨୪ ନିର୍ବାଚନ ପାଇଁ ମୋର୍ଚ୍ଚାଗୁଡିକର ବିଶେଷ ଭୂମିକା ଥିବାରୁ, କ’ଣ ରହିବ ସେମାନଙ୍କ ରଣନୀତି । କିଭଳି ବୁଥସ୍ତରରୁ ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡିବେ ସେ ନେଇ ପ୍ରେରଣା ଦେବେ ବୋଲି ଜଣେ ବରିଷ୍ଠ ବିଜେପି ନେତା ସୂଚନା ଦେଇଛନ୍ତି ।
ଶ୍ରୀ ନଡ୍ଡା ୨୯ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ପରେ ଏକ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ । ଦିନ ୧୧ଟାରେ ସେ ଜନତା ମଇଦାନରେ ପହଞ୍ଚିବେ । ସେଠାରେ ସମସ୍ତ ଶକ୍ତିକେନ୍ଦ୍ରର ପ୍ରମୁଖମାନଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ପରେ ଶ୍ରୀ ନଡ୍ଡା ରାଜ୍ୟର ସମସ୍ତ ଦଳୀୟ ସାଂସଦ, ବିଧାୟକ, ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ପୁରୀ ଗସ୍ତ କରିବା ସହ ସେଠାରେ ରାତ୍ରିଯାପନ କରିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।