୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କଲା ୱିପ୍ରୋ

ପ୍ରସିଦ୍ଧ ଆଇଟି କମ୍ପାନୀ ମୁନଲାଇଟିଂ କରୁଥିବା ନିଜର ୩୦୦ କର୍ମଚାରୀଙ୍କୁ ଛଟେଇ କରିଦେଇଛି । ୱିପ୍ରୋରେ ଚାକିରି କରୁଥାଇ ମଧ୍ୟ ଅନ୍ୟ ସ୍ଥାନରେ ଲୁଚି ଲୁଚି ଚାକିରି କରୁଥିବା କର୍ମଚାରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୱିପ୍ରୋ ଚେୟାରମ୍ୟାନ ରିଶଦ ପ୍ରେମଜୀ କହିଛନ୍ତି, ଗତ ଦୁଇ ତିନ ମାସ ହେଲା ୱିପ୍ରୋର କିଛି କର୍ମଚାରୀ ମୁନଲାଇଟିଂ କରୁଥିବା ଖବର ମିଳିଥିଲା । ଆଉ ଏହା ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ୱିପ୍ରୋରେ ନିୟମିତ ଚାକିରୀ କରିବା ସହ ଛୁଟି ସମୟରେ ପ୍ରତିଦ୍ୱନ୍ଦ୍ୱି କମ୍ପାନୀ ପାଇଁ କାମ କରୁଥିବା କର୍ମଚାରୀଙ୍କ ପାଇଁ ୱିପ୍ରୋରେ କୌଣସି ସ୍ଥାନ ନାହିଁ । ବୁଧବାର ଅଲ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନକୁ ସମ୍ବୋଧିତ କରି ପ୍ରେମଜୀ କହଛନ୍ତି, ମୁନଲାଇଟିଂ-ଚାକିରି ପ୍ରତି ନିଷ୍ଠାର ଖୋଲାଖୋଲି ଉଲ୍ଲଂଘନ । ୱିପ୍ରୋ ପକ୍ଷରୁ ମୁନଲାଇଟିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ କର୍ପୋରେଟ ଜଗତରେ ହଇଚଇ ଖେଳି ଯାଇଛି । ଏନେଇ ବିଭିନ୍ନ ଆଇଟି ଫାର୍ମ ନିଜ କର୍ମଚାରୀଙ୍କୁ ସତର୍କ କରାଇ ଦେଇଛନ୍ତି । ମୁନଲାଇଟିଂ ପାଇଁ ପ୍ରଥମ ଆଇଟି କମ୍ପାନୀ ଭାବେ ୱିପ୍ରୋ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଛି ।