ଏକାଧିକ ସ୍ଥାନରେ ସିବିଆଇ ଚଢ଼ଉ
ଜମ୍ମୁ ଓ କଶ୍ମୀର ସବ୍-ଇନ୍ସ୍ପେକ୍ଟର୍ ନିଯୁକ୍ତି ମାମଲାରେ ଚାଲିଥିବା ତଦନ୍ତ ଘଟଣାରେ ଆଜି ‘ସିବିଆଇ’ ଉତ୍ତର ପ୍ରଦେଶର ଗାଜିଆବାଦ, ଜମ୍ମୁ, ଶ୍ରୀନଗର, ହରିୟାଣା, ଗୁଜରାଟ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସମେତ ପ୍ରାୟ ୩୩ଟି ସ୍ଥାନରେ ଚଢ଼ଉ କରିଛି।
ଚଢ଼ଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ ରହିଛି, ‘ଜମ୍ମୁ ଆଣ୍ଡ୍ କଶ୍ମୀର ସର୍ଭିସେସ୍ ସିଲେକ୍ସନ୍ ବୋର୍ଡ’ର (ଜେକେଏସ୍ଏସ୍ବି) ପରୀକ୍ଷା କଣ୍ଟ୍ରୋଲର୍, ଚେୟାର୍ମ୍ୟାନ୍ଙ୍କ ଘର। ଏହାଛଡ଼ା, ଜଣେ ‘ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍’, ‘ସିଆର୍ପିଏଫ୍’ ସମେତ ଜମ୍ମୁ ଓ କଶ୍ମୀରର କେତେକ ପୁଲିସ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ଉ ଚାଲିଛି। ସବ୍-ଇନ୍ସ୍ପେକ୍ଟର୍ ନିଯୁକ୍ତି ମାମଲାରେ ହୋଇଥିବା ଦୁର୍ନୀତିରେ ‘ଜେକେଏସ୍ଏସ୍ବି’ର ପୂର୍ବତନ ଅଧ୍ୟକ୍ଷ ଖଲିଦ୍ ଜେହାଙ୍ଗୀର୍ ଏବଂ ‘ଜେକେଏସ୍ଏସ୍ବି’ର ‘କଣ୍ଟ୍ରୋଲର୍ ଅଫ୍ ଏକ୍ଜାମିନେସନ୍’ ଅଶୋକ କୁମାରଙ୍କ ଉପରେ ‘ସିବିଆଇ’ର ସନ୍ଦେହ ରହିଛି।
ଜୁଲାଇ ମାସରେ ସର୍ବସାଧାରଣଙ୍କ ପ୍ରତିବାଦ ଯୋଗୁଁ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ‘ସବ୍-ଇନ୍ସ୍ପେକ୍ଟର୍’ ନିଯୁକ୍ତି ଅଭିଯାନ ବାତିଲ କରି ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହାପରେ, ୩ଜଣିଆ ସଦସ୍ୟ କମିଟି ଏହି ମାମଲା ଉପରେ ରିପୋର୍ଟ ଦେଇଥିଲା।