ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ କରିପାରିଲେନି ରଣବୀର ଓ ଆଲିୟା
ଗୋ ମାଂସ ଉପରେ ଅଭିନେତା ରଣବୀର କପୁର ଦେଇଥିବା ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିଛି । ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ରଣବୀର ଓ ଆଲିଆ ଯାଇଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ୍ ଏବଂ ବଜରଙ୍ଗ ଦଳ ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି ।
ପ୍ରତିବାଦ ପ୍ରଦର୍ଶନ କରିବାରୁ ମଙ୍ଗଳବାର ରଣବୀର ଓ ତାଙ୍କ ପତ୍ନୀ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ୍ ଦର୍ଶନ କରିପାରିନାହାନ୍ତି। ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ସଫଳତା ପାଇଁ ରଣବୀର ପ୍ରାର୍ଥନା କରିବା ଲାଗି ପ୍ରଡକସନ୍ ଟିମ୍ ସହିତ ମହାକାଳେଶ୍ବର ମନ୍ଦିରକୁ ଆସିଥିଲେ। କିନ୍ତୁ, ପୁଲିସ କର୍ମଚାରୀମାନଙ୍କ ସହିତ ହିନ୍ଦୁ ସଂଗଠନର କର୍ମୀମାନଙ୍କ ଯୁକ୍ତିତର୍କ ପାଇଁ ସେମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଯାଇପାରିନଥିଲେ ।
ହିନ୍ଦୁ ସଙ୍ଗଠନର କର୍ମୀମାନେ ରଣବୀରଙ୍କୁ ବିରୋଧ କରି ବିଭିନ୍ନ ପ୍ରକାର ନାରା ଦେଇଥିଲେ । ‘ବିଶ୍ବ ହିନ୍ଦୁ ପରିଷଦ୍’ର ନେତା ଅଶୋକ ଜୈନ୍ ଏବଂ ‘ବଜରଙ୍ଗ ଦଳ’ର ନେତା ଅଙ୍କିତ ଚୌବେଙ୍କ ନେତୃତ୍ବରେ ପ୍ରତିବାଦକାରୀମାନେ କଳା ପତାକା ପ୍ରଦର୍ଶନ କରିଥିଲେ ।