‘ମନ୍ କି ବାତ୍’ରେ ସ୍ୱାଧୀନତା ଦିବସର ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି ଯେ, ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ବିଶେଷ ଅବସରରେ ଆମେ ସମସ୍ତେ ଦେଶର ସାମୁହିକ ଶକ୍ତି ଦେଖିବାକୁ ପାଇଲେ । ଏତେ ବଡ ଦେଶ, ଏତେ ବିବିଧତା ଭିତରେ ଯେତେବେଳେ ତ୍ରିରଙ୍ଗା ଉଡାଇବା କଥା ଆସିଲା, ସେତେବେଳେ ସମସ୍ତେ ଆମ ସମସ୍ତଙ୍କ ଭିତରେ ଗୋଟିଏ ଭାବନା ଦେଖିବାକୁ ମିଳିଥିଲା ବୋଲି ମୋଦୀ କହିଛନ୍ତି । ତେବେ ଅଗଷ୍ଟ ମାସରେ ଲୋକଙ୍କ ପତ୍ର, ସନ୍ଦେଶ ଓ କାର୍ଡ ମୋଦୀଙ୍କ କାର୍ଯ୍ୟାଳୟକୁ ତ୍ରିରଙ୍ଗାମୟ କରିଦେଇଥିଲା ବୋଲି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାରି ମାସ ତଳେ ସେ ଅମୃତ ମହୋତ୍ସବ କଥା କହିଥିଲେ । ଏହାପରେ ଭିନ୍ନ ଭିନ୍ନ ଜିଲ୍ଲାରୁ ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଲୋକଙ୍କ ପ୍ରୟାସ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲା । ତେବେ ଅମୃତ ମହୋତ୍ସବର ରଙ୍ଗ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ଅନ୍ୟ ଦେଶମାନେ ମଧ୍ୟ ଦେଖିବାକୁ ପାଇଲେ ।