ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ଼

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ଼ ଘଟଣାରେ ପୁଲିସ୍‌ ୧୩ ଜଣଙ୍କୁ ଗିରଫ କରିଛି। ଏମାନେ ସିଧାସଳଖ ପଥର ମାଡ଼ ଘଟଣାରେ ସାମିଲ ଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି। ରବିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ପାଟନା-ଗୟା ରାସ୍ତାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଯାଉଥିଲା।ଏହି ସମୟରେ ଗୌରୀ ଛକ ନିକଟରେ ଥିବା ସୋହଗି ଗାଁରେ କାରକେଡ ଉପରକୁ ଲୋକମାନେ ପଥର ମାଡ଼ କରିଥିଲେ। ଏଥିରେ ୩ରୁ ୪ଟି ଗାଡ଼ିର କାଛ ଭାଙ୍ଗି ଯାଇଥିଲା। ପଥର ମାଡ଼ ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କାରରେ ନଥିଲେ। ତାଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଅଧିକାରୀମାନେ କାରକେଡରେ ଗୟା ଯାଉଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଗୟା ଗସ୍ତରେ ଯିବାର ଥିବାରୁ ଦିନକ ଆଗରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏପରି ଘଟଣା ଘଟିଛି।ଗୟାରେ ଚାଲିଥିବା ରବର ଡ୍ୟାମର ସମୀକ୍ଷା କରିବାକୁ ନୀତୀଶ କୁମାର ଆଜି ଯିବେ। ସେହିପରି ଜିଲ୍ଲାରେ ଦେଖାଯାଇଥିବା ମରୁଡ଼ି ସମସ୍ୟାକୁ ନେଇ ସେଠାରେ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଲିକପ୍ଟର ଯୋଗେ ଗୟାରେ ପହଞ୍ଚିବେ। ଏହାର ଦିନକ ଆଗରୁ ତାଙ୍କ ସୁରକ୍ଷା ପାଇଁ କାରକେଡରେ ସାମିଲ ହେବାକୁ ଥିବା ଗାଡ଼ି ଗୁଡ଼ିକ ଗୟା ଯାଉଥିଲା। ହେଲେ ଅଧ ବାଟରେ ଗାଡ଼ିଗୁଡ଼ିକ ପଥର ମାଡ଼ର ଶିକାର ହୋଇଛନ୍ତି।