ଭାରତ-ଜିମ୍ବାୱେ ଶେଷ ଦିନିକିଆ

ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ । ୨-୦ରେ ଆଗୁଆ ଥିବାରୁ ସିରିଜ୍ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି । ସେପଟେ ସମ୍ମାନ ରକ୍ଷା ପାଇଁ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଘରୋଇ ଦଳ । ହରାରେ ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ମଧ୍ୟ ଭାରତର ଅପରାଜେୟ ଧାରା ଜାରି ରହିବ ।ପ୍ରଥମ ଦୁଇ ମ୍ୟାଚ୍‌ରେ ରାହୁଲ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ କ୍ରିଜ୍‌ରେ ଅଧିକ ସମୟ କଟାଇ ପାରିନାହାନ୍ତି । ଶିଖର ଧାୱନ ଓ ଶୁବମନ ଗିଲ୍‌ଙ୍କ ଚିତ୍ତାକର୍ଷକ ବ୍ୟାଟିଂ ପାଇଁ ପ୍ରଥମ ଦିନିକିଆରେ ତାଙ୍କୁ ବ୍ୟାଟିଂ ପାଇଁ ଆସିବାକୁ ପଡ଼ିନଥିଲା । ଦୀର୍ଘ ୬ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ରାହୁଲ କିନ୍ତୁ ଦ୍ବିତୀୟ ମ୍ୟାଚ୍‌ରେ ମାତ୍ର ୧ ରନ୍‌ରେ ଅଟକି ଯାଇଥିଲେ । ଫଳରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାର ଏକ ଭଲ ସୁଯୋଗ ହାତଛଡ଼ା କରିଥିଲେ । ସେଥିପାଇଁ ଆଜି ବ୍ୟକ୍ତିଗତ ଭାବେ ଏକ ବଡ଼ ପାଳି ଖେଳିବା ଆଶାରେ ନିଶ୍ଚିତ ଭାବେ ରହିବେ ସେ । ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଜିମ୍ବାୱେର ବ୍ୟାଟିଂ ଦଳକୁ ସଂପୂର୍ଣ୍ଣ ନିରାଶ କରିଥିଲା ।