ଅବସର ନେବେ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ
ଭାରତୀୟ ମହିଳା କ୍ରିକେଟ୍ ଟିମର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ନିଜର ଅବସର ନେଇ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ଲଡର୍ସ ଠାରେ ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଇଂଲଣ୍ଡ ସହ ଖେଳିବା ପରେ ଅବସର ନେବେ ବୋଲି କହିଛନ୍ତି । ଝୁଲଣ ଦୀର୍ଘ ୨୦ ବର୍ଷ ହେବ ଭାରତୀୟ ମହିଳା ଦଳରେ ସାମିଲ ଅଛନ୍ତି । ମହିଳା ଅନ୍ତର୍ଜାତୀୟ ମ୍ୟାଚରେ ଝୁଲଣ ସବୁଠାରୁ ଅଧିକ ୱିକେଟ ହାସଲ କରିଥିବା ବୋଲର ଭାବେ ପରିଗଣିତ ହୋଇଛନ୍ତି । ସେ କିଛି ସମୟ ହେବ ଦଳରୁ ବାହାରେ ଥିଲେ ବି ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ସେ ଦଳକୁ ଫେରିଛନ୍ତି । ଭାରତୀୟ ଦଳ ୨ ସପ୍ତାହ ପାଇଁ ଇଂଲଣ୍ଡ ଗସ୍ତ କରିବ ।
ଏହି ସମୟରେ ଏକଦିବସୀୟ ସହ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବ ଭାରତୀୟ ଟିମ୍ ।ଝୁଲଣଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟ କଥା ଆଲୋଚନା କଲେ ସେ ଏପର୍ଯ୍ୟନ୍ତ ମୋଟ ୧୨ ଟି ଟେଷ୍ଟ ମ୍ୟାଚ ସହ ୨୦୧ ଟି ଏକଦିବସୀୟ ଓ ୬୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୧୨ ଟି ଟେଷ୍ଟ ମ୍ୟାଚ୍ ଖେଳି ଝୁଲଣ ୪୪ ଟି ୱିକେଟ ହାସଲ କରିଥିବା ବେଳେ ୨୦୧ ଏକ ଦିବସୀୟ ମ୍ୟାଚରୁ ସେ ୨୫୦ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ଟି-୨୦ ମ୍ୟାଚରୁ ୫୬ ଟି ୱିକେଟ ହାସଲ କରିଛନ୍ତି ଝୁଲଣ ଗୋସ୍ୱାମୀ ।