ପୁଣି ଲଘୁଚାପ , ପୁଣି ବର୍ଷା: ସତର୍କ ରହିବା ଜରୁରୀ

ପୁଣି ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି ।

4 ଦିନ ବର୍ଷା ବନ୍ଦ ହେବା ପରେ ପୁଣି ବର୍ଷା ହୋଇଥିବାରୁ ଲୋକେ ଚିନ୍ତାରେ ପଡିଛନ୍ତି । ଏବେବି ରାଜ୍ୟର ଅନେକ ଅଂଚଳ ପାଣିଘେରରେ ରହିଛି । ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଶୁକ୍ରବାରରେ ରାଜ୍ୟ ଉପରେ ଲଘୁଚାପର ସର୍ବାଧିକ ପ୍ରଭାବ ପଡ଼ିବାକୁ ଥିବାରୁ ଉପକୁଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଏଥିପାଇଁ ଅରେଞ୍ଜ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୨୦ ଅଗଷ୍ଟ ଶନିବାରରେ ପଶ୍ଚିମ ଓଡି଼ଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୧୯ ଅଗଷ୍ଟ ରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳରୁ ଅତି ପ୍ରବଳ ବର୍ଷା ୨୦ ସେମ ରୁ ଅଧିକ ଏବଂ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ୭ ରୁ ୨୦ ସେମି ହେବାର ସମ୍ଭାବନା ରହିଛି। କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡା, ବରଗଡ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ୭ରୁ ୧୧ ସେମି ହେବାର ସମ୍ଭାବନା ରହିଛି। ୨୦ ଅଗଷ୍ଟ ରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ୭ରୁ ୨୦ ସେମି ହେବାର ସମ୍ଭାବନା ରହିଛି। ମୟୂରଭଂଜ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ମଧ୍ୟ ବର୍ଷା ହେବ ବୋଲି ସତର୍କ ସୂଚନା ରହିଛି ।